ପୁରୀ, ଆଜି ପବିତ୍ର ମାଘ ସପ୍ତମୀରେ ଅର୍କକ୍ଷେତ୍ରର ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘମେଳା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ତିନି ଠାକୁର ଯଥା ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ଵର, ଦକ୍ଷିଣେଶ୍ଵର ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ପହଂଚିବା ପରେ ଭୋର୍ ୪ଟା ୩୦ ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ କରାଯାଇଛି । ଠାକୁର ମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇଛନ୍ତି । ଏହି ଅବସରରେ ସାଧୁସନ୍ଥଙ୍କ ଦ୍ଵାରା ତୀର୍ଥ ପୁଷ୍କରିଣୀରେ ଆଳତୀ କରାଯାଇଥିଲା । ନିଜ ପରିବାରକୁ ରୋଗ, ଶୋକ, ଭୟରୁ ମୁକ୍ତ ରଖିବାକୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଏହି ପବିତ୍ର ଦିନରେ ବୁଡ଼ ପକାଇ ସୂର୍ଯ୍ୟ ଦର୍ଶନ କରିଥାନ୍ତି ।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସେଠାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପରେ ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ଆଜି ପର୍ଯ୍ୟଟଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରାଯାଇଛି ।