
ଖୋର୍ଦ୍ଧା, ୨ ଦ୍ଵିତୀୟ ବର୍ଷ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟା ଘଟଣାର ତଦନ୍ତ ଜାରୀ ରଖିଛି ବାଣପୁର ପୋଲିସ । ପୋଲିସ ଜବତ କରିଥିବା ଆଶୁତୋଷଙ୍କ ମୋବାଇଲ୍ ଫୋନ୍ କୁ ରାଜ୍ୟ ଫରେନସିକ୍ ଲାବ୍ କୁ ପଠାଯାଇଛି । କଲ୍ ଡିଟେଲସ୍, ଭିଡ଼ିଓ ଓ ଚାଟ୍ ରୁ ହତ୍ୟାକାଣ୍ଡ ସମ୍ପର୍କିତ କିଛି ତଥ୍ୟ ମିଳିପାରେ ବୋଲି ପୋଲିସ ଆଶା ରଖିଛି । ତେବେ ପ୍ରତିଶୋଧ ନେବାକୁ ଯାଇ ଆଶୁତୋଷଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ।
ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାକୁ ବାଣପୁର ପୋଲିସ ଗିରଫ କରିବା ସହ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା । ଆଜି ଅପରାହ୍ନ ୫ଟାରେ ଆଶୀର୍ବାଦକୁ ଅଦାଲତରେ ହାଜର କରାଯିବ।
ପ୍ରକାଶ ଥାଉକି, ଆଶୁତୋଷ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଆଶୀର୍ବାଦକୁ ପୋଲିସ ଗିରଫ କରିଥିଲା । ପରେ ଅଭିଯୁକ୍ତ ଆଶୀର୍ବାଦକୁ ଗୁରୁବାର ଅପରାହ୍ନ ୩ ଟାରେ ବାଣପୁର କୋର୍ଟରେ ହାଜର କରିଥିଲା ପୋଲିସ । ଆଶୀର୍ବାଦ ଏକାକୀ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ଵୀକାର କରିଥିଲା । ହେଲେ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ସ୍ପଷ୍ଟ ହୋଇପାରିନାହିଁ । ହତ୍ୟାକାଣ୍ଡରେ ଆଉ କେହି ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସମ୍ପୃକ୍ତ ଥିଲେ କି, କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଛି, ଅଭିଯୁକ୍ତ ମୃତକଙ୍କ ପରିବାରକୁ କଣ ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲା ? ଏହା ପଛରେ ତଦନ୍ତର ଦିଗ ପରିବର୍ତନ ପାଇଁ ନା କୌଣସି ରାକେଟ ସମ୍ପୃକ୍ତ ଅଛି ? ଏପରିକି ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ତଥ୍ୟ ଉଗାଳିବା ପାଇଁ ପୋଲିସ ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା । ବାଣପୁର ପୋଲିସ ଗତକାଲି ମୁଖ୍ୟ ଅଭିଯୁକ୍ତ ଆଶୀର୍ବାଦକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଥିଲା । ଆଶୀର୍ବାଦ ରହୁଥିବା ଘର ପଛପଟ କୂଅରୁ ମୃତ ଆଶୁତୋଷଙ୍କ ମୋବାଇଲକୁ ଜବତ କରିଥିଲା ପୋଲିସ । ଜବତ ଏହି ମୋବାଇଲ୍ ରୁ ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ୟ ମିଳିପାରେ ବୋଲି ପୋଲିସ ଆଶା କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଆଶୀର୍ବାଦ ବିରୋଧରେ ବାଣପୁର କୋର୍ଟରେ ଜିଆର କେସ୍ ନମ୍ବର ୫୮/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ଆଇପିସି ଦଫା ୨୦୧,୩୦୨,୩୬୪,୩୬୪(କ) ଆଦି ଲାଗିଥିବାର ଜଣାପଡିଛି ।