କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ପ୍ରକୃତ ହିତାଧିକାରୀ ତାଲିକାରୁ ବାଦ୍ ପଡି ଥିବାରୁ ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଅଂଚଳରେ ଜନ ଅସେନ୍ତାଷ ବଢିବାରେ ଲାଗିଛି । ଏପରିକି ଅନେକ ଗ୍ରାମର ଅଧିବାସୀ ସରକାରଙ୍କର ଯୋଜନାରୁ ଆଜି ବି ବଂଚିତ ହୋଇ ରହିଛନ୍ତି । ଯାହାକି କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଳକ ଅଂଚଳରେ ଦେଖିବାକୁ ମିଳିଛି ।
୨୦୧୧ ଜନ ଗଣନା ଅନୁଯାୟୀ, ଏସଇସିସି ଲିଷ୍ଟରେ ନାମ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ତଥା ଅନ୍ୟ ପ୍ରାୟ ସମସ୍ତ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗ୍ରାମପଂଚାୟତର ବଳଭଦ୍ରପୁର ଓ ଜଗନ୍ନାଥପୁର ସମେତ ନିଶ୍ଚିନ୍ତପୁର ଗ୍ରାମପଂଚାୟତର ଘୁଣ୍ଟୁପଶି ଗ୍ରାମବାସୀ । ଏ ସମ୍ପର୍କରେ ସଂପୃକ୍ତ ୩ ଟି ଗ୍ରାମର ଅଧିବାସୀ ଅନେକ ଥର ଜିଲାପାଳ, ଉପଜିଲାପାଳ, ଝୁମ୍ପୁରା ବିଡିଓଙ୍କ ଠାରୁ ରାଜନେତା ମାନଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ଭିକ୍ଷା କରି ଆସିଥିଲେ ମଧ୍ୟ ନ୍ୟାୟ ତ ଦୂରର କଥା ସବୁ ସମୟରେ କେବଳ ପ୍ରତିଶୃତିରେ ହିଁ ସୀମିତ ହୋଇ ରହିଛି । ହେଲେ ସମସ୍ୟାର ସମାଧାନ ହୋଇ ପାରିନାହିଁ । ସରକାରଙ୍କ ଏତାଦୃଶ୍ୟ ମନୋଭାବ ପ୍ରତିବାଦରେ ଗତ ପଂଚାୟତ ନିର୍ବାଚନରେ ବଳଭଦ୍ରପୁର ଓ ଜଗନ୍ନାଥପୁର ଗ୍ରାମବାସୀ ଭୋଟ ବର୍ଜ୍ଜନ କରିଥେôଲ । ସେ ସମୟରେ ଏହାର ସମାଧାନ କରାଯିବ ବୋଲି ତତ୍କାଳୀନ ଚମ୍ପୁଆ ଉପଜିଲାପାଳ ନିର୍ଭର ପ୍ରତିଶୃତି ଦେଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଜଙ୍ଗଲାଚଂଳରେ ଅବସ୍ଥିତ ଏହି ୩ଟି ଗ୍ରାମବାସିନ୍ଦା ମୁଖ୍ୟତଃ ଶ୍ରମଜୀବି, ଚାଷାଦି କାର୍ଯ୍ୟକରି ଜୀବିକା ନିର୍ବାହ କରିଥାନ୍ତି । ୩ଟି ଗ୍ରାମର ୯୦ ପ୍ରତିଶତ ବାସିନ୍ଦା ଆଦିବାସୀ ସମୁଦାୟର, ଏମାନଙ୍କର ମଧ୍ୟରୁ ଅନେକ ଜଙ୍ଗଲ ଜାତଦ୍ରବ୍ୟ ବିକ୍ରିବଟା କରି ଜୀବିକା ନିର୍ବାହ କରିଥାନ୍ତି । ଆବାସ ଯୋଜନା ଏହି ୩ଟି ଗ୍ରାମକୁ ଅପହଁଚ ହୋଇପଡିଥିବା ବେଳେ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଆଦି ସମସ୍ୟା ନେଇ ଉକ୍ତ ୩ଟି ଗ୍ରାମର ବାସିନ୍ଦା କଷ୍ଟ ଭୋଗି ଚାଲିଛନ୍ତି । ଆବାସ ଯୋଜନାରେ ଅନ୍ତର୍ଭୂକ୍ତ କରିବା, ପାନୀୟ ଜଳ ଯୋଗାଇ ଦେବା, ରାସ୍ତା, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ଦାବି ନେଇ ଗତ ୨୪/୧/୨୦୨୩ ରିଖ ଘୁଣ୍ଟୁପଶି ଗ୍ରାମବାସିନ୍ଦା ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟରେ ଦାବି ପତ୍ର ଦେବା ସହ ଗଣଧାରଣା କରିଥିଲେ । ୨୭/୧/୨୦୨୩ ରିଖ ଜଗନ୍ନାଥପୁର ଓ ବଳଭଦ୍ରପୁର ଗ୍ରାମବାସିନ୍ଦା ଶୋଭାଯାତ୍ରା, ଗଣଧାରଣା କରିବା ସହ ଝୁମ୍ପୁରା ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି । ଏହାର ସମାଧାନ ନହେଲେ ଉକ୍ତ ୩ ଗ୍ରାମର ଅଧିବାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ବାବୁଲାଲ ମହାନ୍ତ, ଲକ୍ଷ୍ମୀରାଣୀ ଦାସ, କିରଣ ଆରୁକ, ହୃଷିକେଶ ମହାନ୍ତ, ବେଣୁଧର ମହାନ୍ତ, ସସ୍ମିତା ମହାନ୍ତ,ବିକ୍ରମ ମୁଣ୍ଡା, ରଇଦାସ ମୁଣ୍ଡା, କୈଳାସ ମୁଣ୍ଡା, ରାନୁ ମୁଣ୍ଡା ପ୍ରମୁଖ କହିଛନ୍ତି ।
ଅଭିଯୋଗ ସମ୍ପର୍କରେ ପଚାରିବାରୁ ଜିଲାପାଳଙ୍କୁ ରିପୋର୍ଟ କରାଯାଇଛି । ସମସ୍ୟା ସମାଧାନ କରିବାକୁ ପଦେକ୍ଷପ ନିଆଯିବ ବୋଲି ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡା କହିଛନ୍ତି ।