ସୁବର୍ଣ୍ଣପୁର/ ବଲାଙ୍ଗିର, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ରେଲୱେ କ୍ରସିଂରେ ଟ୍ରେନ ଧକ୍କାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରୁ ଅବିନାଶ ମର୍ନିଂ ୱାକରେ ବାହାରିଥିଲେ । ରେଲୱେ ଲାଇନ ପାର କରୁଥିବା ବେଳେ ହଠାତ ପଛ ପଟରୁ ଟ୍ରେନ ଆସି ପିଟି ଦେଇଥିଲା।ଫଳରେ ଅବିନାଶ ଟ୍ରେନ ଲାଇନ ପାର୍ଶ୍ଵକୁ ଛିଟିକି ପଡ଼ିଥିଲେ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅବିନାଶ ମୋବାଇଲ ହେଡଫୋନ କାନରେ ଲଗାଇ ଅନ୍ୟ ମନସ୍କ ଥିବାରୁ ଟ୍ରେନ ଆସୁଥିବା ସେ ଜାଣି ପାରି ନ ଥିଲେ। ତେବେ ସ୍ଥାନୀୟ ଲୋକେ ଅବିନାଶଙ୍କୁ ନେଇ ଡୁଙ୍ଗୁରିପାଲି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅତ୍ୟଧିକ ରକ୍ତସ୍ରାବ ଓ ମୁଣ୍ଡରେ ଭୀଷଣ ଆଘାତ ଯୋଗୁଁ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।
ଅବିନାଶ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ପୂର୍ବତନ ବିଧାୟକ ତଥା ଓଡିଶା ବିଧାନସଭାରେ ପଶ୍ଚିମାଞ୍ଚଳ ଲାଗି ସ୍ବର ଉତ୍ତୋଳନ କରିଥିବା ସାହାସିକ ନେତା ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ। ତାଙ୍କୁ ୪୮ ବର୍ଷ ହୋଇଥିବା ବେଳେ ସେ ସପରିବାରେ ଡୁଙ୍ଗୁରିପାଲି ସହରରେ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଓ ସ୍ତ୍ରୀ ସହ ପୁଅକୁ ପାଠ ପଢ଼ାଇବା ପାଇଁ ଡୁଙ୍ଗୁରିପାଲି ସହରରେ ରହୁଥିଲେ। ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଡୁଙ୍ଗୁରିପାଲି ସହର ସମେତ ସାଲେଭଟା ଓ ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି। ଅବିନାଶଙ୍କ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ପାରିବାରିକ ସମ୍ପର୍କ ରହିଛି। ଅବିନାଶ ପୂର୍ବରୁ ବିଜେପି ଦଳର ଜଣେ ସକ୍ରିୟ ନେତା ରହିଥିବା ବେଳେ ଏବେ କିଛି ଦିନ ହେଲା ସେ ରାଜନୀତି ଠାରୁ ଦୂରେଇ ରହିଥିଲେ।
ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ଏହି ଅଭାବନୀୟ ମୃତ୍ୟୁର ଅନୁସନ୍ଧାନ କରୁଛି। ଶବ ବ୍ୟବଚ୍ଛେଦ ପରେ ସାଲେଭଟା ଶ୍ମଶାନରେ ଅବିନାଶଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି। ଅବିନାଶଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ଆତ୍ମୀୟ ସ୍ଵଜନ, ସମର୍ଥକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନୈତିକ ନେତା ତାଙ୍କ ବାସଭବନରେ ପହଞ୍ଚିଛନ୍ତି।