
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଦୁଇ ମହଲା ବିଶିଷ୍ଟ ଗ୍ରାମପଞ୍ଚାୟତ ଫେସିଲେଟର ସେଣ୍ଟର ନିର୍ମାଣ ଚାଲିଛି। ଏହି ନିର୍ମାଣ କାମ ଟେଣ୍ଡର କରାନଯାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କରାଯାଉଛି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଉକ୍ତ ନିର୍ମାଣ କାମରେ ଉନ୍ନତମାନର ଛଡ଼ ବ୍ୟବହାର କରିବା ପରିବର୍ତ୍ତେ ରୁଙ୍ଗଟା ଓ ସ୍ପୀଡ ନାମକ କମ୍ପାନୀର ଶସ୍ତା ଛଡ ଲଗାଇଥିବା ଦେଖିବାକୁ ମିଳିଛି। ଯାହାକି ଗୃହର ସ୍ଥାୟୀତ୍ଵକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମଲଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସେମିତି କୌଣସି ନିର୍ଦ୍ଦିଷ୍ଟ କମ୍ପାନୀର ଛଡ଼ ବ୍ୟବହାର ନେଇ ଏସ୍ଟିମେଟରେ ନାହିଁ ଯେକୌଣସି ଛଡ଼ ବ୍ୟବହାର କରିହେବ। କାଲିମେଳା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୁଧାଂଶୁ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଉକ୍ତ କାମରେ ଜିନ୍ଦଲ, ଟାଟା, ସେଲ, ଶ୍ରିଷ୍ଟି କମ୍ପାନୀର ଛଡ଼ ବ୍ୟବହାର ଲାଗି ନିୟମ ରହିଛି, ମୁଁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଶସ୍ତା ଛଡ଼ ବ୍ୟବହାର ନ କରିବା ଲାଗି ତାଗିଦ କରିଥିଲି, ଏହା ସତ୍ବେ ଯଦି ନିମ୍ନମାନର ଛଡ ଲାଗିଛି ମୁଁ ଯାଇ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନେବି। କାଲିମେଳା ବ୍ଲକରେ ବିଭିନ୍ନ ବିଭାଗ ତରଫରୁ ଚାଲିଥିବା ଉନ୍ନୟନମୂଳକ କାମରେ ଠିକାଦାର ମାନେ ଲାଭଖୋର ମନୋବୃତି ନେଇ ଶସ୍ତା ଓ ନିମ୍ନମାନର ଛଡ ବ୍ୟବହାର କରୁଥିବା ଅଭିଯୋଗ ହେଉଛି।