କେନ୍ଦୁଝର, ଭୋଟର ତାଲିକା ସଂଶୋଧନ ଓ ଶୁଦ୍ଧିକରଣ ପ୍ରକ୍ରିୟାରେ ଉଲ୍ଲେଖନୀୟ ସଫଳତା ଓ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକେର ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜିଲ୍ଲାପାଳ ଶ୍ରୀ ଠାକେରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିଶେଷ ଭାବେ ଜନଜାତି ଗୋଷ୍ଠୀ ଯଥା- ବାଂଶପାଳ, ତେଲେକାଇ, ହରିଚନ୍ଦନପୁର, ଘଟଗାଁ ଆଦି ଅଂଚଳରେ ବସବାସ କରୁଥିବା ଜୁଆଙ୍ଗ ଓ ପାଉଡି ଭୂୟାଁ ସଂପ୍ରଦାୟର ୧୮ ବର୍ଷ କିମ୍ବା ତଦ୍ଦୁର୍ଦ୍ଧ୍ଵ ବୟସ୍କଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରାଇବା ଏବଂ ସେମାନଙ୍କୁ ମତଦାନ ଓ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଇବା କ୍ଷେତ୍ରରେ ଜିଲ୍ଲାପାଳ ଶ୍ରୀ ଠାକରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାରୋହରେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଉପସ୍ଥିତ ଥିଲେ ।