
ଭୁବନେଶ୍ୱର, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । କମିଶନରେଟ ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ ଗିରଫ କରିଛି । ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଂଚଳରେ ୧୦୦ରୁ ଅଧିକ ମାମଲା ରହିଛି ।
ଅନ୍ୟ ପକ୍ଷରେ ସେମାନଙ୍କଠାରୁ ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଥିବା ଜଣା ପଡିଛି । ଗୋଟିଏ ଗୋଲଡ ମେଡାଲ, ୮ଟି ବ୍ରୋଞ୍ଜ ମେଡାଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ ପ୍ଲେଟେଡ଼ କ୍ଲିପ, ୫୬ ଇଂଚର ଏଲଇଡ଼ି ଟିଭି, ଡିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଓ ଘର ତଡା ଉପକରଣ ଜବତ କରାଯାଇଛି ।
ଉଲ୍ଲେଖନୀୟ ଯେ ଗତ ୨୦ ତାରିଖରେ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଥିଲା । ଘରେ ଥିବା ମୂଲ୍ୟବାନ ଆସବାବପତ୍ର ସମେତ ସମସ୍ତ ମେଡାଲ କେହି ଚୋରି କରି ନେଇ ଯାଇଥିଲେ । ଏ ନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜାଂଚ ଆରମ୍ଭ କରିଥିଲା ।