ଧର୍ମଶାଳା, ଶ୍ରୀଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ପଂଚ ପାଦ ପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମିକ ଓ ଧର୍ମୀୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଶାନ୍ତିବଜାର ଠାରେ ସ୍ଥାପିତ ହୋଇଥିବା ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆୟୋଜିତ ହୋଇଥିଲା । ବରିଷ୍ଠ ଯୁବ ସାମାଜିକ କର୍ମୀ ଅଭିରାମ ମହାନ୍ତିଙ୍କ ତତ୍ଵାବଧାନରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ମନ୍ଦିର ପରିସରରେ ୩ ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ପଣ୍ଡିତଙ୍କ ଦ୍ଵାରା ଏହି ହୋମଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଦିବସ କାର୍ଯ୍ୟ ସମାପନ ହୋଇଥିଲା । ପ୍ରଥମ ଦିବସରେ ଜିଲା ତଥା ଜିଲା ବାହାରୁ ବହୁ ସଂଖ୍ୟାରେ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ । ବିଭିନ୍ନ ଦିବସମାନଙ୍କରେ ସ୍ଥାନୀୟ ଅଂଚଳର ପ୍ରସିଦ୍ଧ ପଣ୍ଡିତମାନଙ୍କ ଦ୍ଵାରା, ଶାସ୍ତ୍ର ଅନୁସାରେ ପଂଚ ପାଦ ପ୍ରତିଷ୍ଠା, ସିଂହାସନ ପୂଜା, ବିଗ୍ରହ ପ୍ରତିଷ୍ଠା ସହ ସୂର୍ଯ୍ୟ ପୂଜା, ଗୋପୂଜା, ଜଳଯାତ୍ରା, ଶ୍ରୀବିଗ୍ରାଧିବାସ ପୂଜା କରାଯାଇଥିଲା । ଶେଷ ଦିନରେ ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଶହଶହ ସଂଖ୍ୟାରେ ସ୍ଥାନୀୟ ଅଂଚଳର ଭକ୍ତମାନେ ଯୋଗଦେଇ ବିଭୂ କୃପା ଲାଭ କରିଥିଲେ । ଏବଂ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷ ଦିବସରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇ ଭଗବାନଙ୍କ ଦର୍ଶନ କରିଥିଲେ ।
ଏହି ଅବସରରେ କରୋନା ଯୋଦ୍ଧା ଭାବେ ଅନୁଷ୍ଠାନ ପକ୍ଷରୁ ବିଧାୟକ ଶ୍ରୀ ବଳବନ୍ତରାୟ ଖବର କାଗଜ ବିତରକ ଓ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ଶିଳ୍ପୀମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଳଧର ମହାନ୍ତିଙ୍କ ସମେତ ବହୁ ସ୍ଥାନୀୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।