ଚମ୍ପୁଆ,ଚମ୍ପୁଆର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ପ୍ରଫେସର ଜଗମୋହନ ରାଠୋରଙ୍କ ସ୍ମୃତିରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଶିକ୍ଷାବିତ୍ ଓ ବିଚ୍ଛିନ୍ନାଞ୍ଚଳ ସାଂସ୍କୃତିକ ସମ୍ମାନ ଚଳିତ ବର୍ଷ ୨୯ ଜାନୁଆରୀ ରବିବାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଅପରାହ୍ନ ୫ଟା ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉତ୍ସବରେ କଟକ ମ୍ୟୁନିସିପାଲଟି କର୍ପୋରେସନର ମେୟର ସୁବାସ ଚନ୍ଦ୍ର ସିଂହ ଉଦଘାଟକ ଭାବେ ଯୋଗ ଦେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ ମାଧ୍ୟମିକ ଶିକ୍ଷା ବୋର୍ଡର ସମ୍ପାଦକ ହେମେନ୍ଦ୍ର ନାରାୟଣ ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ କିସ୍ ବିଶ୍ଵବିଦ୍ୟାଳୟ ଗୋପବନ୍ଧୁ ଚେୟାରର ପ୍ରଫେସର ଡଃ. ବିଜୟା ନନ୍ଦ ସିଂହ, ସ୍ମୃତି ସଂସଦର ସଂଯୋଜକ ଡାକ୍ତର ପ୍ରସନ୍ନ କୁମାର ରାଠୋର, ଆବାହକ ଉତ୍କଳ ସାହିତ୍ୟ ସମାଜ ସଭାପତି ଡ଼ଃ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଶିଷ୍ଟ ସାମ୍ବାଦିକ ଅରୁଣ କୁମାର ପଣ୍ଡା ସଭାପତିତ୍ବ କରିବେ ।
ଚଳିତ ବର୍ଷ ପ୍ରଫେସର ଜଗମୋହନ ରାଠୋର ଶିକ୍ଷାବିତ୍ ସମ୍ମାନ -୨୦୨୩ ରେ ପ୍ରାଥମିକ ଶିକ୍ଷାରେ ଅବସରପ୍ରାପ୍ତ ଶିକ୍ଷକ ବିନୟ କୁମାର ବେହେରା, ଶ୍ରୀମତୀ କବିତା ଦେବୀ( ମିଶ୍ର), ମାଧ୍ୟମିକ ଶିକ୍ଷାରେ କପିଳେଶ୍ଵର ଉଚ୍ଚ ବିଦ୍ୟାଳୟ, ନନ୍ଦପୁରର ପ୍ରଧାନ ଶିକ୍ଷକ ନୀଳାମ୍ବର ମହାନ୍ତ, ସହକାରୀ ଶିକ୍ଷକ ଡଃ. ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଉଚ୍ଚ ଶିକ୍ଷା ବର୍ଗରେ ଅବସରପ୍ରାପ୍ତ ଏଣ୍ଡିକ୍ରିନୋଲଜି ପ୍ରଫେସର ଗୌରାଙ୍ଗ ଚରଣ ନାୟକଙ୍କୁ ଦିଆଯାଉଥିବା ବେଳେ ବିଚ୍ଛିନ୍ନାଞ୍ଚଳ ଓଡ଼ିଶା ସାଂସ୍କୃତିକ ସମ୍ମାନ ପଶ୍ଚିମ ସିଂହ ଭୁମ୍ ଚକ୍ରଧର ପୁର ଦେଓଗାଁର ବିଶିଷ୍ଟ ସଂଗଠକ ସରୋଜ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ଆବାହକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସୂଚନା ଦେଇଛନ୍ତି । ଉତ୍ସବକୁ ସଫଳ କରିବାକୁ ଏବଂ ବହୁ ସଂଖ୍ୟାରେ ଶିକ୍ଷାବିତ୍ ଲେଖକ ଲେଖିକା, ଶିକ୍ଷାପ୍ରେମି ଯୋଗଦେବାକୁ ଜଗମୋହନ ରାଠୋର ସ୍ମୃତି ସଂସଦ ଚମ୍ପୁଆ ଶାଖାର ସଂଯୋଜକ କାଶୀନାଥ ମହାନ୍ତ, ଆବାହକ କଳାକର ମହାନ୍ତ, ସଦସ୍ୟ ରାସେଶ୍ଵର ମହାନ୍ତ, ବିପିନ ଜୀତ, ଡମ୍ବରୁ ମହାନ୍ତ ନିବେଦନ କରିଥିବା ଜଣାଯାଇଛି।