-
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଟ୍ରେନ୍କୁ କଲେ ଶୁଭାରମ୍ଭ
ନୂଆଦିଲ୍ଲୀ / ଭୁବନେଶ୍ୱର, ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟେନ୍ ବୁଧବାର ଶୁଭାରମ୍ଭ ହୋଇଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍କୁ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଉତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଓ ପୁରୀ ଯିବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ର ଶୁଭାରମ୍ଭ ଅବସରରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ଗଢ଼ିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁ ଭାଷା ମଣିଷ ତିଆରି କରିଛି । କିନ୍ତୁ ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ଗଢ଼ିଛନ୍ତି । ମହାପ୍ରଭୁ ତାଙ୍କ ପ୍ରସାଦ ଭାବେ ଓଡ଼ିଆ ଭାଷାକୁ ଦେଇଛନ୍ତି । ସେଥିପାଇଁ ଓଡ଼ିଆ ଭାଷା ଏତେ ମିଠା ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଏକ୍ସପ୍ରେସ୍ରେ ଏକକାଳୀନ ୫୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ ।
ସେ ଏହି ଟ୍ରେନ ଜରିଆରେ ନିଜର ମା ବାପାଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ନୂଆ ପର୍ଯ୍ୟଟନ ଟ୍ରେନ୍ ମାଧ୍ୟମରେ ମା’-ବାପାଙ୍କୁ ପ୍ରଭୁଙ୍କ ଦର୍ଶନ କରାଇବାର ସୁଯୋଗ ଆସିଛି । ଲୋକେ ପ୍ରଭୁଙ୍କ ପାଖକୁ ଯାଆନ୍ତୁ । ଜଗନ୍ନାଥଙ୍କ ଦର୍ଶନ କରନ୍ତୁ । ଶ୍ରଦ୍ଧାଳୁଙ୍କ ଉପରେ ଯେତେଦିନ ଯାଏଁ ଭଗବାନଙ୍କ ଆଶୀର୍ବାଦ ମିଳିନାହିଁ, ଜଗନ୍ନାଥଙ୍କ ଦର୍ଶନ ହୋଇପାରିବ ନାହିଁ ।