ବଲାଣି, ରାଷ୍ଟ୍ରାୟତ ଉଦ୍ୟୋଗ ତଥା ମହାରତ୍ନ କମ୍ପାନୀ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ର ସ୍ଥାପନା ଦିବସ ଅବସରରେ ସ୍ଥାନୀୟ ଜେଏନଆରସି ଓଡିଟୋରିୟମ ଠାରେ ମଙ୍ଗଳବାର ଡବଲ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳ ବ୍ୟତୀତ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଖଣି ରୁ ମୋଟ ୩୨ଟି ଦଳ ଭାଗ ନେଇଥିଲେ । ତେବେ ବଲାଣି ଦଳର ରିଷୀ ନନ୍ଦ ଓ ରାଜ ଏବଂ ଗୁଆ ଦଳର କୌଶିକ ଓ ଷୌମିକ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ଫାଇନାଲରେ ବଲାଣି ଦଳର ରିଷୀ ନନ୍ଦ ଓ ରାଜ ଗୁଆ ଦଳକୁ ସିଧାସଳଖ ଦୁଇ ସେଟ ରେ ପରାଜିତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଅନ୍ୟ ପକ୍ଷରେ ତୃତୀୟ ସ୍ଥାନ ନିମନ୍ତେ ମେଘାହାତୁବୁରୁ ଦଳର ଚତୁର୍ଭୁଜ ପଥାଳ ଓ ବଣ୍ଟି ଏବଂ ସଞ୍ଜୟ ବାନାର୍ଜୀ ଓ ସୌରଭ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ ରେ ଚତୁର୍ଭୁଜ ପଥାଳ ସିଧାସଳଖ ସେଟ ରେ ସଞ୍ଜୟ ବାନାର୍ଜୀ ଓ ସୌରଭଙ୍କୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବେଷ୍ଟ ସ୍ମାସର୍ ଭାବେ ରିଷୀ ନନ୍ଦ, ବେଷ୍ଟ ଡିଫେଣ୍ଡର ଭାବେ ଗୁଆ ଦଳର କୌଶିକ ଓ ବେଷ୍ଟ ପ୍ଲେୟର ଭାବେ ବଲାଣି ଦଳର ରାଜ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ ।
ପୁରସ୍କାର ବିତରଣ ଉତ୍ସବରେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବି ଡି ନାଏକ(ମହାପ୍ରବନ୍ଧକ,ପ୍ଲାଣ୍ଟ), ଏନ ଏନ ସେଠି(ମହାପ୍ରବନ୍ଧକ, ଏମଏମ) , ବି ଏନ ସିଂହ(ଉପମହାପ୍ରବନ୍ଧକ, ଖଣି), ଶଙ୍କର ନାଏକ(ଉପମହାପ୍ରବନ୍ଧକ, ଭିଜିଲାନ୍ସ), ରବି ଶର୍ମା(କମାଣ୍ଡାଣ୍ଟ,ସିଆଇଏସଏଫ), ରୋଶନ ରାଜା(ଡିସି, ସିଆଇଏସଏଫ), ଏବଂ ସ୍ପୋର୍ଟସ ଆଣ୍ଡ କଲଚରାଲ କମିଟିର ସମ୍ପାଦକ ସଞ୍ଜୟ ଦେଓ ଉପସ୍ଥିତ ହୋଇ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ ଖେଳକୁ ଶିଳ୍ପୀ ଲାହା, ବୁନା ମହାନ୍ତି ଓ ଅରୁଣ ବେହେରା ରେଫେରୀ ଭାବେ ପରିଚାଳନା କରିଥିଲେ ।