-
ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା
ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, କୋଠାବାଡ଼ି, ଜିଲ୍ଲା ଖଣିଜ ପାଣ୍ଠି, ଓମ୍ବାଡ଼୍ସି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ଓ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ।
ସମସ୍ତ ଡିଭିଜନର ଦାୟତ୍ୱରେ ଥିବା ଅଧିକାରୀମାନେ ନିର୍ମାଣ କରାଯାଇଥିବା ରାସ୍ତା, ସେତୁ ଯୋଜନାଗୁଡ଼ିକର ସଫଳ କାହାଣୀ ଏବଂ ଉପକୃତ ହେଉଥିବା ଜନସାଧାରଣଙ୍କ ମତାମତ, ଯୋଜନା ନେଇ ସେମାନଙ୍କର ଆଭିମୁଖ୍ୟ ବାବଦରେ ଏକ ପୁସ୍ତିକା ଏବଂ ଭିଡ଼ିଓଗ୍ରାଫି ଶୀଘ୍ର ଦାଖଲ କରିବା ପାଇଁ ପ୍ରମୁଖ ସଚିବ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଓ ୧୩ ସର୍କଲ ଇଂଜିନିୟରିଂ ସଂସ୍ଥାର ମୁଖ୍ୟଯନ୍ତ୍ରୀଙ୍କ ସହ ପ୍ରମୁଖ ସଚିବ ଶ୍ରୀ ସିଂ ପୁଙ୍ଖୁନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ପ୍ରମୁଖ ସଚିବ ଶ୍ରୀ ସିଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କାର୍ଯ୍ୟକୁ ୱାମିସ୍ ମାଧ୍ୟମରେ ସମାପନ କରିବା ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ଏବଂ ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।