ଗଞ୍ଜାମ, ବ୍ରହ୍ମପୁର ଆମ୍ବପୁଆରେ ରହୁଥିବା ଜଣେ ମହିଳାଙ୍କ ନିକଟକୁ ଗତ ମାସ ୨୪ ତାରିଖରେ ଜଣେ ଅଜଣା ଯୁବକ ଫୋନ୍ କରିଥିଲା । ଏକ ନିର୍ଦ୍ଦିଷ୍ଟ ଅନ୍ ଲାଇନ୍ ସାମଗ୍ରୀ କିଣାବିକା ସଂସ୍ଥାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜର ପରିଚୟ ଦେଇଥିଲା । ପୂର୍ବରୁ ମହିଳା ଜଣକ ସେହି ସଂସ୍ଥା ଜରିଆରେ କିଛି ସାମଗ୍ରୀ ଅନ୍ ଲାଇନ୍ ରେ ମଗାଇଥିଲେ । ଏଣୁ ସେ ସନ୍ଦେହ କରିବାର ଅବକାଶ ନଥିଲା । ୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିଲେ ମାଗଣା ଉପହାର ଯୋଜନା ଥିବା ନେଇ ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ । ଫଳରେ ମହିଳା ଜଣକ କିଛି ସାମଗ୍ରୀ କିଣିବା ପାଇଁ ଟଙ୍କା ପଠାଇଥିଲେ । ହେଲେ ଟଙ୍କା ମିଳିନଥିବା ସେହି ବ୍ୟକ୍ତି ଜଣକ କହିବାରୁ ମହିଳା ଜଣକ ପୁଣି ଥରେ ଟଙ୍କା ପଠାଇଥିଲେ । ଏଭଳି ବିଭିନ୍ନ ପର୍ଯ୍ୟାୟରେ ଅନ୍ ଲାଇନ୍ ରେ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ସେ ପଠାଇଥିଲେ । ଟଙ୍କା ପଠାଇବା ପରେ ମଧ୍ୟ ତାଙ୍କୁ କୌଣସି ସାମଗ୍ରୀ ମିଳିନଥିଲା । ଫୋନ୍ ଆସିଥିବା ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତର ମିଳିନଥିଲା । ଫଳରେ ମହିଳା ଜଣକ ସାଇବର୍ ଠକେଇର ଶିକାର ହୋଇଥିବା ଜାଣି ଗତକାଲି ବ୍ରହ୍ମପୁର ସାଇବର୍ ଥାନାରେ ଏ ସଂକ୍ରାନ୍ତରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ କେସ୍ ନଂ ୩/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Related Stories
October 25, 2024