
-
ମହାନ ସନ୍ଥ ତିରୁବଲ୍ଲୁବରଙ୍କ ଠାରୁ ପ୍ରେରଣା ନେଉ ଯୁବ ସମାଜ
ତ୍ରିଚିନାପଲ୍ଲୀ/ ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ତାମିଲନାଡୁର ତ୍ରିଚିନାପଲ୍ଲୀ ଠାରେ ଏନଆଇଟି ଠାରେ ପହଂଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ସେ ଏଠାରେ ଥିବା ପ୍ରଡକ୍ସନ ଇଂଜିନିୟରିଂ, ମେକାନିକାଲ ଇଂଜିନିୟରିଂ ଏବଂ ମେଟାଲର୍ଜିକାଲ ଓ ମେଟାଲ ଇଂଜିନିୟରିଂ ବିଭାଗର ନୂତନ ଆନେକ୍ସି ବିଲ୍ଡିଂ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି ।
ଏହା ବ୍ୟତୀତ ଶ୍ରୀ ପ୍ରଧାନ ଏଠାରେ ଲେକ୍ଚର ହଲ କଂପ୍ଲେକ୍ସ (ଲୋଗୋସ)ର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ଉଦବୋଧନରେ କହିଛନ୍ତି ଯେ ଏଠାରେ ପଢୁଥିବା ଯୁବ ଶକ୍ତି ମହାନ ସନ୍ଥ ତିରୁବଲ୍ଲୁବରଙ୍କ ଠାରୁ ପ୍ରେରଣା ଗ୍ରହଣ କରିବ । ସେ ଛାତ୍ର ଛାତ୍ରୀ ମାନଙ୍କୁ ତ୍ରିଚିନାପଲୀ ଏନଆଇଟିକୁ ଆଗକୁ ନେବା ସହ ରାଷ୍ଟ୍ର ନିର୍ମାଣର ପ୍ରକ୍ରିୟାରେ ଭାଗିଦାର ହେବାକୁ ଆହ୍ବାନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ – ତ୍ରିଚିନାପଲୀ ଏନଆଇଟିକୁ ସ୍ଥାନୀୟ ସମାଧାନ ନୁହେଁ ବରଂ ବୈଶ୍ୱିକ ସମାଧାନ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିବାକୁ ପଡିବ । ଏକବିଂଶ ଶତାବ୍ଦୀରେ ଏନଆଇଟିର ଛାତ୍ର ଛାତ୍ରୀ ମାନେ ମାନବିକତାର ଆଲୋକବର୍ତିକା ସାଜିବେ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ଭାଷା ଶିଖିବା ଦ୍ୱାରା ଅନନ୍ତ ସମ୍ଭାବନା ଉତ୍ପନ୍ନ କରିଥାଏ । ଭାରତୀୟ ଭାଷା ଶିଖିବାର ଗୁରୁତ୍ବ ରାଷ୍ଟ୍ରୀୟ ଶିକ୍ଷା ନୀତି 2020ରେ ରହିଛି । ତାମିଲନାଡୁ ବାହାରୁ ଏଠାକୁ ଆସି ପଢୁଥିବା ଛାତ୍ର ଛାତ୍ରୀ ମାନେ ତାମିଲ ଭାଷା ଶିଖିବା ପାଇଁ ସେ ଆହ୍ବାନ ଜଣାଇଛନ୍ତି ।