କଟକ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ସେ କହିଛନ୍ତି ଯେ, ଆମ ଦୁହିଁଙ୍କ ମଧ୍ୟରେ ଥାର୍ଡ଼ ପର୍ସନ୍ (ତୃତିୟ ବ୍ୟକ୍ତି)ର ଏଂଟ୍ରି ହିଁ ଅଶାନ୍ତିର ମୂଳ କାରଣ । ଝିଅର ଜନ୍ମ ପରେ ମୋ ଉପରେ ନିର୍ଯାତନା ବଢିଛି। ତଥାପି ବୁଝାମଣା ପାଇଁ ମୁଁ ରାଜି ଅଛି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ସ୍ଵାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ଵାରସ୍ଥ ହୋଇଛି । ସେ ମୋତେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ଅନେକ ସମୟରେ ତାଙ୍କୁ ମଦ ପିଇବାକୁ ବାରଣ କରିବାରୁ ସେ ମୋତେ ମାଡ଼ ମାରନ୍ତି । ଝିଅ ଜନ୍ମପରେ ମୋ ପ୍ରତି ହ୍ୟୁମାନଙ୍କ ନିର୍ଯାତନା ବଢିଥିଲା । ଝିଅ ସହ ତାଙ୍କର କୌଣସି ଆଟାଚମେଂଟ ନଥିଲା । ସେହିପରି ହ୍ୟୁମାନ ଓ ତାଙ୍କ ଦାମ୍ପତ୍ୟ ଜୀବନରେ ଥାର୍ଡ଼ ପର୍ସନ୍ (ତୃତିୟ ବ୍ୟକ୍ତି)ର ଏଂଟ୍ରି ହିଁ ଅଶାନ୍ତିର ମୂଳ କାରଣ ବୋଲି ସେ କହିଛନ୍ତି । ହେଲେ ସେହି ଥାର୍ଡ଼ ପର୍ସନ ଜଣକ କିଏ ସେ ସମ୍ପର୍କରେ ସ୍ପଷ୍ଟ କରିନାହାଁନ୍ତି ଶ୍ରୀୟା । ସେହିପରି ଶାଶୁଘର ଲୋକେ ଚାହାଁନ୍ତି ଘରେ ତାଙ୍କ ଧର୍ମ ମାନି ଚଳିବାକୁ । ମୋତେ ମଥାରେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି । ଅବଶ୍ୟ ଧର୍ମ ପରିବର୍ତନ କରିବା ପାଇଁ ମୋତେ କେବେ ବାଧ୍ୟ କରିନାହାଁନ୍ତି ବୋଲି ସେ କହିଛନ୍ତି । ପୂର୍ବପରି ମୋତେ ସ୍ତ୍ରୀର ମର୍ଯ୍ୟାଦା ମିଳିଲେ ମୁଁ ଶାଶୂ ଘରକୁ ଫେରିବି । ସେମାନେ ମୋତେ ଘରୁ ବାହାର କରିଛନ୍ତି, ତେଣୁ ତାଙ୍କ ପଟୁ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀୟା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ଆସନ୍ତା ୩୦ ତାରିଖ ଯାଏଁ ଅପେକ୍ଷା କରିବି । ହ୍ୟୁମାନ ଚାହିଁଲେ ଆମ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପୁଣି ଥରେ ଫେରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଆଶାକୁ ନେଇ ମଣିଷ ବଂଚିଛି, ମୁଁ ମଧ୍ୟ ଜଣେ ମଣିଷ, ଏଣୁ ମନରେ ଆଶା ରହିବା ସ୍ଵାଭାବିକ୍ ବୋଲି ସେ କହିଛନ୍ତି।
ଘଟଣାର ଆପୋଷ ବୁଝାମଣା ପାଇଁ ଉଭୟ ପୂର୍ବରୁ କଟକ ମହିଳା ଥାନାରେ ହାଜର ହୋଇଥିଲେ । ଆସନ୍ତା ସୋମବାର ମହିଳା ଥାନାରେ ଉଭୟ ହାଜର ହେବାର ଥିଲା । ସେହିପରି ବିବାଦର ଆପୋଷ ସମାଧାନ ଚାହୁଁଛନ୍ତି ବୋଲି ହ୍ୟୁମାନ କହିଛନ୍ତି । ସେ ତାଙ୍କ ପତ୍ନୀ ଓ ଝିଅକୁ ଫେରାଇ ଆଣିବାକୁ ଚାହୁଁଥିବା ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ସ୍ଵାମୀଙ୍କ ଶାରିରୀକ ଓ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଗତ ୫ ମାସ ହେଲା ଶ୍ରୀୟା ନିଜ ଝିଅ ସହିତ ପୁରୀ ସ୍ଥିତ ବାପଘରେ ରହୁଛନ୍ତି ।