-
ଆଜି ନ୍ୟୁଜିଲାଣ୍ଡ – ଭାରତ କ୍ରସ୍ ଓଭର ମ୍ୟାଚ୍ : ଉଭୟ ଦଳ ପାଇଁ କର ବା ମର ସ୍ଥିତି
ଭୁବନେଶ୍ଵର, ଚଳିତ ଏଫଆଇଏଚ ପୁରୁଷ ହକି ବିଶ୍ଵକପ୍ ରେ ଆଜି ନ୍ୟୁଜିଲାଣ୍ଡ ସହ ଆୟୋଜକ ଭାରତର କ୍ରସ୍ ଓଭର ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟାରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମ୍ ରେ ଖେଳାଯିବ । ଏହି ମ୍ୟାଚ୍ ଜିତିଲେ ବିଜୟୀ ଦଳ କ୍ଵାର୍ଟର ଫାଇନାଲକୁ ଉନ୍ନୀତ ହେବ ଏବଂ ପରାଜିତ ଦଳ ବିଦାୟ ନେବ । ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ହେବ । ଆଜିର ମ୍ୟାଚ୍ ଜିତିଲେ ଆସନ୍ତା ୨୪ ତାରିଖରେ କ୍ଵାର୍ଟର ଫାଇନାଲରେ ବେଲଜିୟମ୍ କୁ ଭେଟିବ ବିଜୟୀ ଟିମ୍ । ଅନ୍ୟପକ୍ଷରେ ମ୍ୟାଚ୍ କୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଆହତ ଯୋଗୁଁ ଭାରତୀୟ ହକି ଟିମ୍ ରୁ ବାଦ୍ ପଡିଛନ୍ତି ମିଡ୍ ଫିଲଡର ହାର୍ଦ୍ଦିକ ସିଂହ । ହାର୍ଦ୍ଦିକ ସିଂହଙ୍କ ଜାଗାରେ ଖେଳିବେ ରାଜକୁମାର ପାଲ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ । ୱେଲସ୍ ବିପକ୍ଷ ମ୍ୟାଚ୍ ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ତେବେ ପୂର୍ବର ତୃଟୀ ସୁଧାରି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି କ୍ରୀଡ଼ାପ୍ରେମୀ ।
ୱେଲସ୍ ବିପକ୍ଷରେ ବିଜୟ ସତ୍ବେ ସିଧାସଳଖ କ୍ଵାର୍ଟର ଫାଇନାଲରେ ପହଂଚି ପାରିନଥିଲା ଭାରତ । ପୁଲ୍ ଡିରେ ଭାରତ ତିନୋଟି ମ୍ୟାଚ୍ ରୁ ଦୁଇଟି ବିଜୟ ଓ ଗୋଟିଏ ଡ୍ର ସହିତ ୭ ପଏଂଟ ପାଇ ପଏଂଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି । ସେହିପରି ପୁଲ୍ -ସିରେ ନ୍ୟୁଜିଲାଣ୍ଡ ତିନୋଟିରୁ ଗୋଟିଏ ବିଜୟ ଏବଂ ଦୁଇଟି ପରାଜୟ ସହ ୩ ପଏଂଟ ପାଇ ପଏଂଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।
ସେହିପରି କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଅପରାହ୍ନ ୪ଟା ୩୦ରେ ମାଲେସିଆ ଓ ସ୍ପେନ ମଧ୍ୟରେ ଏକ କ୍ରସ୍ ଓଭର ମ୍ୟାଚ୍ ଅନୁଷ୍ଠିତ ହେବ ।