-
ଦୁଇ ବର୍ଷ ପରେ ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
ଯାଜପୁର, ଆଜି ତ୍ରିବେଣୀ ଅମାବାସ୍ୟା । ଏହି ପବିତ୍ର ତିଥିରେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ ପରମ୍ପରା ଅନୁସାରେ ପାଳିତ ହେଉଛି । ଜିଲ୍ଲା ପ୍ରଶାସନର କୋଭିଡ଼୍ କଟକଣା ପାଇଁ ଦୁଇ ବର୍ଷ ହେଲା ମାଙ୍କ ଜନ୍ମୋତ୍ସବରେ ଦର୍ଶନ କରିପାରିନଥିଲେ ଶ୍ରଦ୍ଧାଳୁ । ଦୁଇ ବର୍ଷ ପରେ ଆଜି ଭକ୍ତଙ୍କ ଏହି ମନବାଞ୍ଛା ପୂର୍ଣ୍ଣ ହୋଇଛି । ଯାହାକୁ ନେଇ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ଭୋରରୁ ଦର୍ଶନ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ, ମାଙ୍କ ସମସ୍ତ ନୀତିକାନ୍ତି ଜାରୀ ରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ହୋଇଛି । ସ୍ଵନକ୍ଷତ୍ର ଦିବସରେ ମାଙ୍କୁ ଦର୍ଶନ କରି ଆନନ୍ଦ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।
ବ୍ରହ୍ମମୂହୁର୍ତରେ ଦେବୀଙ୍କ ପ୍ରାତଃ ସ୍ନାନ, ସ୍ଵନକ୍ଷତ୍ର ବିହିତ ମହାସ୍ନାନ, ବେଶ କରାଯାଇଥିଲା । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ସୁନ୍ଦର ଆଲୋକ ମାଳା ଓ ଫୁଲରେ ସଜ୍ଜିତ କରାଯାଇଛି । ସଂନ୍ଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ, ମା ବିରଜାଙ୍କ ଯେତେଗୁଡିଏ ପର୍ବପର୍ବାଣୀ ପାଳନ କରାଯାଏ ତନ୍ମଧ୍ୟରୁ ଆଜି ଦିନଟି ସ୍ଵତନ୍ତ୍ର । ତ୍ରିବେଣୀ ଅମାବାସ୍ୟାକୁ ମାଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ । ଦୈନନ୍ଦିନ ପଚୋଂପଚାର ପୂଜା କରାଯାଉଥିବା ବେଳେ ଆଜି ଷୋଡ଼ଶ ଉପଚାର ପୂଜା କରାଯାଇଥାଏ ।