ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘବର୍ଷ ଧରି ନିଯୁକ୍ତି ହୋଇନାହାନ୍ତି ବିଶେଷଜ୍ଞ ଡାକ୍ତର। ଚିକିତ୍ସାଳୟରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚିକିତ୍ସାଳୟକୁ ୨୦୧୭ – ୨୦୧୮ ମସିହାରେ ଉପଖଣ୍ଡ ଚିକିତ୍ସାଳୟ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ, ଦୀର୍ଘ ୨ ବର୍ଷ ପରେ ଅର୍ଥାତ ଗତ ୨୦୨୧ ମସିହାରେ ହିଁ ଏହା ଉପଖଣ୍ଡ ଚିକିତ୍ସାଳୟ ଭାବେ ମାନ୍ୟତା ପାଇଲା ।
ସୂଚନାଯୋଗ୍ୟ ଯେ, ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୧୯ ଜଣ ଡାକ୍ତର ପଦ ରହିଥିବା ବେଳେ ଏବେ ମାତ୍ର ୬ ଜଣ ଏମବିବିଏସ୍ ଡାକ୍ତର ଥିବା ଜଣାଯାଇଛି । ଏହା ସହ ସ୍ଵତନ୍ତ୍ର ପାଣ୍ଠିରୁ ଚୁକ୍ତିଭିତ୍ତିକ ଭାବରେ ଡାକ୍ତର ଦେବୀ ପ୍ରସାଦ ସାହୁ ( ସର୍ଜରୀ )ଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ, ତାଙ୍କର ଚୁକ୍ତି ପୂରଣ ହେବା ପରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ପୁନଃ ନିଯୁକ୍ତି କରାଗଲା ନାହିଁ । ତାଙ୍କର ଚୁକ୍ତି ଶେଷ କରି ବିଦାୟ ନେବା ସମୟରେ ଅଞ୍ଚଳର ବହୁ ମହିଳା ଓ ବୁଦ୍ଧିଜୀବୀ ଏହାର ପ୍ରତିବାଦ ମଧ୍ୟ କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ କୌଣସି କର୍ଣ୍ଣପାତ କରାଯାଇନଥିଲା । ଜିଲ୍ଲା ପ୍ରଶାସନ ତରଫରୁ ସ୍ଵତନ୍ତ୍ର ପାଣ୍ଠିରୁ ପୁଣି ଅନ୍ୟ ଏକ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚିକିତ୍ସାଳୟରେ ଶଲ୍ୟ ଓ ମେଡ଼ିସିନ ପରି ଗୁରୁତ୍ଵପୂର୍ଣ୍ଣ ବିଭାଗର ବିଶେଷଜ୍ଞ ଡାକ୍ତର ପଦ ଖାଲିପଡିଛି। ଏହା ହେଉଛି ଉପଖଣ୍ଡ ଚିକିତ୍ସାଳୟର ବାସ୍ତବ ସମସ୍ୟା। ସେହିଭଳି ଡାକ୍ତର ଅମିୟ କୁମାର ସ୍ଵାଇଁ ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଭାବେ କାର୍ଯ୍ୟରତ । ଡାକ୍ତର ସ୍ବାଇଁ ନିଜେ ଚିକିତ୍ସାଳୟର କାର୍ଯ୍ୟାଳୟ ଭାର ସମ୍ଭାଳିବା ସହିତ ଆଦିବାସୀ ଅଞ୍ଚଳରେ ଗାଁ ଗାଁରେ ବୁଲି ସ୍ବାସ୍ଥ୍ୟ ମେଳାରେ ଯୋଗ ଦେବା ସହିତ ଦୁର୍ଘଟଣାଜନିତ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କାର୍ଯ୍ୟ ମାସକୁ ୭ରୁ ୧୦ଟି ଆସୁଛି । ସେ ଏହି ଦାୟିତ୍ଵ ତୁଲାଉଛନ୍ତି । ପରିତାପର ବିଷୟ ଉପଖଣ୍ଡ ଚିକିତ୍ସାଳୟରେ ବର୍ତ୍ତମାନ ସୁଦ୍ଧା ଶବ ବ୍ୟବଚ୍ଛେଦ ଗୃହ ନାହିଁ । ଡାକ୍ତର ମାନେ ସମୟ ନଷ୍ଟ କରି ଭିନ୍ନ ଭିନ୍ନ ଜାଗାକୁ ଯାଉଛନ୍ତି । ଫଳରେ ଡାକ୍ତରମାନେ ଯେଉଁ ସମୟରେ ରୋଗୀ ସେବା କରିବା କଥା, ଶବ ବ୍ୟବଚ୍ଛେଦ କାର୍ଯ୍ୟରେ ସମୟ ନଷ୍ଟ କରୁଛନ୍ତି । ଯେଉଁଥି ପାଇଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଖଣ୍ଡ ବିକିତ୍ସାଳୟ ମାନ୍ୟତା ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜଣେ ମାତ୍ର ମେଡିସିନ ବିଶେଷଜ୍ଞ ଡାକ୍ତର ପ୍ରଫୁଲ ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ, କିଛି ଦିନ ରହିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ପଠାଇଥିଲେ । ସେହିପରି ଡାକ୍ତର ନିଶାନ ଦାସ ( ଏମ୍ବିବିଏସ୍ ) ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ, ଡାକ୍ତର ପ୍ରିୟ ବ୍ରତ ଦାସଙ୍କୁ ପାଙ୍ଗାମ ପ୍ରାଥମିକ ଚିକିତ୍ସାଳୟକୁ ଡେପୁଟେସନରେ ନେଇ ଯାଇଛନ୍ତି । ଏପରି ସ୍ଥିତିରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କିପରି ଚାଲିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସେହିପରି ୩ ଜଣ ଡାକ୍ତର ଡେପୁଟେସନରେ ଯିବା ଫଳରେ ରୋଗୀ ସେବା କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି । ଡାକ୍ତର ଅଭାବ ଯୋଗୁଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁଁ ଲୋକେ ସେବା ନପାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି । ସାମାନ୍ୟ ଗୁରୁତର ରୋଗୀ ହୋଇଥିଲେ ସେମାନଙ୍କୁ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇ ପଠେଇ ଦେଉଛନ୍ତି । ଫଳରେ ଅଯଥା ଖର୍ଚାନ୍ତ ହେବାକୁ ପଡିଥାଏ ବୋଲି କିଛି ରୋଗୀ ମାନଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଅତିଶୀଘ୍ର ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସାଧାରଣରେ ଦାବି ହେବା ସହ ଶବ ବ୍ୟବଚ୍ଛେଦ ଗୃହ ଓ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ସଧାରଣରେ ଦାବି ଜୋର୍ ଧରିଛି । ନଚେତ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ହେବ ବୋଲି ଲୋକେ ମତ ଦେଉଛନ୍ତି ।