ଗଞ୍ଜାମ, ଜନୈକା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ବ୍ରହ୍ମପୁର ଫାଷ୍ଟଟ୍ରାକ୍ କୋର୍ଟ ପୋକସୋ ଜଜ୍ ଗଣେଶ୍ଵର ପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ ପାଇଁ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ଜଗନ୍ନାଥ ପ୍ରସାଦ ଥାନା ଅଂଚଳର ପ୍ରଦୀପ ମହାରଣା । ସେହିପରି ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
୨୦୧୪ ନଭେମ୍ବର ୨୮ ତାରିଖ ସକାଳେ ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ପ୍ରଦୀପ ତାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଏ ସଂକ୍ରାନ୍ତରେ ଜଗନ୍ନାଥ ପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲା କୋର୍ଟରେ ବିଚାରାଧିନ ଥିଲା । କୋର୍ଟ ମାମଲାର ବିଚାରଣା କରି ଆଜି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।