-
ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ହେବ ମୁଖ୍ୟ ଅତିଥି
ନୂଆଦିଲ୍ଲୀ, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଆଗାମୀ ୨୪-୨୬ ଜାନୁଆରୀ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ । ନିଜର ଦ୍ୱିତୀୟ ସରକାରୀ ଗସ୍ତରେ ଆସୁଥିବା ରାଷ୍ଟ୍ରପତି ସିସି ୭୪ ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ମଧ୍ୟ ହେବେ ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ସିସିଙ୍କ ସହିତ ପାଂଚ ଜଣ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିଦଳ ମଧ୍ୟ ଭାରତ ଆସିବ । ସେମାନଙ୍କର ୨୪ ତାରିଖ ଦିନ ଦିଲ୍ଲୀ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡରେ ଇଜିପ୍ଟ ସେନାର ଏକ ସୈନିକ ଦଳ ମଧ୍ୟ ଭାଗ ନେବ । ରାଷ୍ଟ୍ରପତି ସିସିଙ୍କୁ ୨୫ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗକ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ ତାରିଖ ଦିନ ସଂଧ୍ୟାରେ ତାଙ୍କର ସମ୍ମାନରେ ଏକ ଭୋଜିର ଆୟୋଜନ କରିବେ ।
ରାଷ୍ଟ୍ରପତି ସିସି ପରସ୍ପର ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦ୍ୱିପାକ୍ଷିକ ବୈଠକ ଓ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତା ମଧ୍ୟ କରିବେ । ସେ ଭାରତର ବୈଦେଶିକ ମନ୍ତ୍ରୀ ଡ. ଜୟଶଙ୍କରଙ୍କୁ ମଧ୍ୟ ସାକ୍ଷାତ କରିବେ । ରାଷ୍ଟ୍ରପତି ସିସି ଏକ ଭାରତୀୟ ବାଣିଜ୍ୟ ପ୍ରତିନିଧି ଦଳ ସହିତ ମଧ୍ୟ କଥାବାର୍ତା କରିବାର କାର୍ଯ୍ୟକ୍ରମ ରହିଛି ।