ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଂଟ-ଇନ୍ ଏଡ୍ ବଢାଯିବାକୁ ସମେତ ମୋଟ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଂଟ-ଇନ୍ ଏଡ୍ ବଢାଯିବାକୁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । କ୍ୟାବିନେଟଚ ଏହି ନିଷ୍ପତି ଫଳରେ ରାଜ୍ୟର ୧୫,୭୭୧ ଶିକ୍ଷକ, କର୍ମଚାରୀ ଉପକୃତ ହେବେ । ଏହା ପିଛିଲା ଭାବେ ୨୦୨୨ ଜାନୁଆରି ୧ ତାରିଖରୁ ଏହା ଲାଗୁ ହେବ ।
ଓଡିଶା ରାଜ୍ୟ ନିମନ୍ତେ କେନ୍ଦ୍ର ତାଲିକାଭୁକ୍ତ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜାତି ଗୁଡିକୁ ଓଡିଶା ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସଇବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପାଇଁ ପଛୁଆ ବର୍ଗ ଆୟୋଗ ଓଏସସିବିସି ଅଧିନିୟମ ୧୯୯୩ରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ଦିଆଯାଇଛି ।
ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ସେହିପରି ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଓଏସ୍ଜେଏସ୍ ଓ ଓଜେଏସ୍ ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।
କ୍ୟାବିନେଟ ବୈଠକରେ ବାଗଚୀ ଶ୍ରୀଶଙ୍କର କର୍କଟ ଚିକିତ୍ସା କେନ୍ଦ୍ର ଓ ଅନୁସନ୍ଧାନ ପ୍ରତିଷ୍ଠାନକୁ ୨ ଏକର ଜମି ମାଗଣାରେ ପ୍ରଦାନ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଏହି ପ୍ରତିଷ୍ଠାନ ସ୍ୱେଚ୍ଛାକୃତ ଭାବେ କର୍କଟ ରୋଗୀଙ୍କ ରହଣୀ ନିମିତ ବିଶ୍ରାମଗୃହ ନିର୍ମାଣ କରିବାକୁ ଯାଉଥିବା ନେଇ ସୂଚନା ଦିଆଯାଇଛି ।
କ୍ୟାବିନେଟ ବୈଠକରେ ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ସେହିପରି କ୍ୟାବିନେଟ ବୈଠକରେ ଜିଏସ୍ଟି, ବାଣିଜ୍ୟ କର ଡାଟା ଏଂଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି । ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟରେ ମଂଜୁରୀ ମିଳିଛି ।
ସେହିପରି ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ । ନୟାଗଡ଼ ଜିଲ୍ଲାର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ ପାଇଁ ନିବିଦାକୁ ଅନୁମୋଦନ ମିଳିଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ପାନୀୟ ଜଳ ପ୍ରକଳ୍ପ ହେବ । ଏହାକୁ କ୍ୟାବିନେଟର ଅନୁମୋଦନ ମିଳିଛି ।