-
ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଡାକ୍ତରାଣୀଙ୍କ ପୁରୁଷ ବନ୍ଧୁ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଚଂଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାକୁ ରଦ୍ଦ କରିବା ପାଇଁ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଡାକ୍ତର ଦିବ୍ୟରଞ୍ଜନଙ୍କ ବିରୋଧରେ ଯୋଡ଼ା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଏହି ମାମଲାକୁ ଖାରଜ ଓ ତାଙ୍କୁ ଜାମିନ୍ ପ୍ରଦାନ ପାଇଁ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେବେ ଶୁଭଶ୍ରୀଙ୍କ ପରିବାର ଲୋକ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଦିବ୍ୟରଞ୍ଜନ ଓ ତାଙ୍କର ଦୁଇ ସହଯୋଗୀ ହତ୍ୟା କରିଥିବା ଯୋଡ଼ା ଥାନାରେ ଶୁଭଶ୍ରୀଙ୍କ ପରିବାର ପକ୍ଷରୁ ଏତଲା ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୫ ବର୍ଷୀୟା ଶୁଭଶ୍ରୀଙ୍କ ଘର କଟକ ବୟାଳିଶି ମୌଜା ଅଂଚଳରେ । ଜାନୁଆରୀ ୧ ତାରିଖରେ ବନ୍ଦ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାକୁ ନେଇ ଏବେବି ଲାଗି ରହିଛି ସସପେନ୍ସ । ଘଟଣାରେ ପୂର୍ବରୁ ପୋଲିସ ଦିବ୍ୟରଞ୍ଜନଙ୍କୁ ପଚରା ଉଚରା କରି ଛାଡି ଦେଇଥିଲା ।