
ବାରିପଦା,ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ଡ଼ଃ. ଦୀପକ ରଞ୍ଜନ ସାହୁ ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ହତ୍ୟାକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ଲେଖାଏଁ କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି । ଆସାମୀ ଦ୍ଵୟ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ମାଙ୍କଡ଼କେନ୍ଦା ଗ୍ରାମର ଶିବ ସିଂ ଏବଂ ଡୁଣା ସିଂ ।
ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର ସନୁ ସିଂ ଓ ଡୁଣା ସିଂ ଦୁଇ ଭାଇ ୧୧/୬/ ୨୦୧୮ରେ ସନ୍ଧ୍ୟା ସମୟରେ ଏକାଠି ମଦ ପିଇବାକୁ ଯାଇଥିଲେ । ମଦ ପିଇବା ସମୟରେ ଦୁହିଁଙ୍କ ମଧ୍ୟରେ ବଚସାକୁ ନେଇ ଡୁଣା ସିଂ ଓ ଶିବ ସିଂ ମିଶି ସନୁ ସିଂର ବେକକୁ କାଟି ହତ୍ୟା କରିଥିଲେ । ଏଥିପରେ ମୃତଦେହକୁ ବିଲରେ ଫିଙ୍ଗି ଦେଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପର ଦିନ ସକାଳୁ ବିଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନୁ ସିଂର ମୃତଦେହ ପାଇଥିଲେ । ଘଟଣା ବାବଦରେ ସନୁର ପୁଅ ମଙ୍ଗଳ ସିଂ ସ୍ଥାନୀୟ ଚାନ୍ଦୁଆ ଥାନାରେ ୧୨/୦୬/୨୦୧୮ରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏଥି ସହିତ ଅଭିଯୁକ୍ତ ଶିବ ସିଂ ଏବଂ ଡୁଣା ସିଂ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତି କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ଓକିଲ ବଟହରି ମହାକୁଡ଼ ପରିଚାଳନା କରୁଥିଲେ ।