-
ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ
ସାଲେପୁର, ଯୋଗାଣ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁ ୨୦୨୧ ମସିହା ମଇ ଓ ଜୁନ୍ ମାସର ଗହମ ଏପର୍ଯ୍ୟନ୍ତ ଡିଲରମାନଙ୍କୁ ପ୍ରଦାନ କରାଯାଇନଥିବାରୁ ଖାଉଟିମାନେ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । କେଉଁ ଡିଲର ପଏଣ୍ଟରେ ୩ ମାସର, ୪ ମାସର ଓ ୫ ମାସର ଗହମ ମଧ୍ୟ ବଣ୍ଟନ କରାଯାଇନଥିବା ଅଭିଯୋଗ ହୋଇଛି । ତେବେ ଏ ଦୁଇ ମାସର ଗହମ ଖାଇଲା କିଏ ? ଏଣେ ସରକାର କହୁଛନ୍ତି ମାଗଣାରେ ହିତାଧିକାରୀମାନଙ୍କୁ ଖାଉଟି ସାମଗ୍ରୀ ପ୍ରଦାନ କରାଯାଉଛି । ବର୍ତ୍ତମାନ ମାହାଙ୍ଗା ବ୍ଲକର ନଭେମ୍ବର, ଡିସେମ୍ବର ମାସର ମାଗଣା କିମ୍ବା ପଇସା ଦିଆ ଚାଉଳ, ଗହମ ବଣ୍ଟନ କରାଯାଇନାହିଁ । ଅପରପକ୍ଷେ ସମଗ୍ର ଓଡିଶାରେ ରାସନକାର୍ଡରେ ହିତାଧିକାରୀଙ୍କ ନାମ ସଂଯୋଗ କରାଯାଉଥିଲା ବେଳେ ମାହାଙ୍ଗା ବ୍ଲକରେ ଏହି ସଂଯୋଗ କାର୍ଯ୍ୟ ଦୁଇ ବର୍ଷରୁ ଉର୍ଦ୍ଧ ହେବ କରାଯାଉନାହିଁ । ଦୀର୍ଘ ଦିନ ହେବ ହିତାଧିକାରୀଙ୍କ ରାସନକାର୍ଡରୁ ଆପଣା ଛାଏଁ ନାମ କଟିଯାଇଥିଲେ ମଧ୍ୟ ତାହା ସଂଯୋଗ କରାଯାଉନାହିଁ । ଯୋଗାଣ ବିଭାଗ କହୁଛି ଯେ, ସିଷ୍ଟମରେ ସାଇଡ୍ ଖୋଲୁନାହିଁ । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ମାହାଙ୍ଗା ବ୍ଲକର ଗୋତରା ପଂଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ସଂପର୍କରେ ଆପିଲୋ ଅଂଚଳର ସୂର୍ଯ୍ୟକାନ୍ତ ପଣ୍ଡା ରାଜ୍ୟ ଯୋଗାଣ ବିଭାଗର ମନ୍ତ୍ରୀ, ଯୋଗାଣ ବିଭାଗ ସଚିବ ଏପରିକି କଟକ ସଦର ଉପଜିଲ୍ଲାପାଳଙ୍କୁ ତା.୨.୧.୨୦୨୩ ରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଡିଲରଙ୍କ ବିରୁଦ୍ଧରେ କରାଯାଇନାହିଁ । ମାହାଙ୍ଗା ବ୍ଲକରେ କେତେକ ଡିଲର ବର୍ତ୍ତମାନ ଚାଉଳ ବଣ୍ଟନ କରୁଛନ୍ତି । ହେଲେ ହିତାଧିକାରୀଙ୍କ ଠାରୁ ଆଙ୍ଗୁଳି ଛାପ ନେଉଥିଲେ ମଧ୍ୟ ଡିଲର ପଏଣ୍ଟରେ ଚାଉଳ ନଥିବାରୁ ହିତାଧିକାରୀମାନେ ଫେରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଡିଲର ପଏଣ୍ଟରୁ ଚାଉଳ ଗଲା କୁଆଡେ । ମାହାଙ୍ଗା ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଓ ଅପାରଗତା ପାଇଁ ସାଧାରଣ ଖାଉଟି ହଟହଟା ହେଉଥିଲା ବେଳେ କାହା ସ୍ଵାର୍ଥରେ ଯୋଗାଣ ବିଭାଗ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉନାହିଁ କି ଯେଉଁ ଡିଲରମାନେ ଖାଉଟି ସାମଗ୍ରୀ ହଡପ କରୁଛନ୍ତି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଯାହାଫଳରେ ଖାଉଟି ବିଭାଗ ପ୍ରତି ସାଧାରଣ ହିତାଧିକାରୀଙ୍କ ଆସ୍ଥା ତୁଟିବାରେ ଲାଗିଛି ।