ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାରେ ଏବେ ଭୁତାଣୁଜନିତ ସଂକ୍ରମିତ ଚର୍ମ ରୋଗ ଲାମ୍ପି ଚାରିଆଡ଼େ ଆତଙ୍କ ଖେଳାଇଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଗାଈ ଗୋରୁ ମାନେ ମୃତ୍ୟୁ ମୁଖରେ ପଡିଛନ୍ତି । ଅବଶ୍ୟ ଏ ସମ୍ପର୍କରେ ପ୍ରାଣିଧନ ଚିକିତ୍ସା ବିଭାଗକୁ କୌଣସି ଖୋଜଖବର ନାହିଁ । ଏ ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିବାକୁ ଯାଉଥିବା ବେଳେ ଲୋକଙ୍କୁ ଆମ ପାଖରେ କିଛି ଖବର ନାହିଁ, ଏଭଳି ଉତ୍ତର ଦେଇଥିଲେ ଜିଲ୍ଲା ମୁଖ୍ୟ ପ୍ରାଣିଧନ ଚିକିତ୍ସକ।
ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ ବ୍ୟାପିଛି । ଏହି ରୋଗରେ ପୀଡିତ ହୋଇ ବଲାଙ୍ଗିର ସହର ଉପକଣ୍ଠ ବିଯାଖମନ ଗ୍ରାମରେ ଗତ ଏକ ସପ୍ତାହ ମଧ୍ୟରେ ୧୧ ଟି ଗାଈ ପ୍ରାଣ ହରାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ସମୟ ପୂର୍ବରୁ ଟୀକାକରଣ ନହେବା ଓ ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ନେଇ ପଶୁପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଲାମ୍ପି ରୋଗ ଜୀବାଣୁ ନିହିତ ରୋଗ ଅଟେ । ମଶା, ମାଛି ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ହେଲେ ଗାଈ ମାନଙ୍କ ଶରୀରରେ ଚକଡା଼ ହୁଏ । ତାଙ୍କର ପାକୁଳି କରିବା ବନ୍ଦ ହେବା ସହ ଆଖିରୁ ପାଣି ଝରେ । ଲାମ୍ପି ରୋଗରେ ପୀଡିତ ଗାଈର ଖାଦ୍ୟ ଗ୍ରହଣ କ୍ଷମତା କମି ଯାଏ । ଫଳରେ ଅତ୍ୟଧିକ ଜ୍ଵର, ଦୁର୍ବଳତା, ଦୁଗ୍ଧ ଉତ୍ପାଦନ ହ୍ରାସ ଓ ଗର୍ଭପାତ ଭଳି ସମସ୍ୟା ଉତ୍ପନ୍ନ ହୁଏ । ଠିକ୍ ସମୟରେ ଏହାର ଚିକିତ୍ସା କରା ନ ଗଲେ ଗାଈ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତି । ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଏଭଳି ଅବହେଳା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଏବେ ସେହି ସମସ୍ୟା ସୃଷ୍ଟି ହୋଇଛି । ଭ୍ରାମ୍ୟମାଣ ପ୍ରାଣୀ ସମ୍ପଦ ବିକାଶ ଗାଡ଼ି ଜିଲ୍ଲାରେ କୁଆଡେ ବୁଲିଛି ତାର ଠିକଣା ନାହିଁ । ଲମ୍ପୀ ରୋଗ ଏକ ସଂକ୍ରମଣ ରୋଗ ହୋଇଥିବାରୁ ଏହାକୁ ନେଇ ଯେଉଁଭଳି ସଚେତନତା ସୃଷ୍ଟି କରାଯିବ କଥା ତାହା କରାଯାଉନାହିଁ । ଯାହା ଫଳରେ ଗୋପାଳନ ଚାଷୀ ମାନେ ଏବେ ଦୁଗ୍ଧ ବ୍ୟବସାୟରେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି। ତେବେ ଯଥା ଶୀଘ୍ର ଏହି ରୋଗର ନିରାକରଣ ପାଇଁ ଏକ ଚିକିତ୍ସକ ଟିମ ଗଠନ କରି ଗାଁ ମାନଙ୍କରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଉ ଓ ଲାମ୍ପି ରୋଗର ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଯାଉ ବୋଲି ପଶୁ ପ୍ରେମୀ ମହଲରେ ଦାବି ଉଠିଛି ।
ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ଭୁତାଣୁଜନିତ ଏହି ରୋଗର ଉପଶମ ପାଇଁ ଗତ ତିନିଦିନ ହେବ ଟୀକାକରଣ କରାଯାଉଛି। ଆମ ପାଖରେ ୧ ଲକ୍ଷ ୭୨ ହଜାର ଭାକସିନ୍ ଥିଲାବେଳେ ଆହୁରି ୭୦ ହଜାର ଆସୁଛି। ଆମର ୧୪ ଗୋଟି ବ୍ଲକ ଅଞ୍ଚଳରେ ୧୪ ଟି ଭ୍ରାମ୍ୟମାଣ ଦଳ କାମ କରୁଛନ୍ତି। ବିଜାଖମନରେ ୧୦୦ ଗୋ ଧନ ଅଛନ୍ତି ସେଠାକୁ ଚିକିତ୍ସା ଦଳ ଯାଇଥିବା ସେ କହିଛନ୍ତି।