ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ରୋଜଗାର ମେଳାରେ 128ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି ।
ଏହି ଅବସରରେ ସେ ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ।
ସେ କହିଛନ୍ତି ଯେ – ରୋଜଗାର ମେଳା ମାଧ୍ୟମରେ ଯୁବକ ଯୁବତୀମାନେ ଅମୃତ କାଳରେ ସୈନିକ ଭାବରେ କାମ କରନ୍ତୁ । ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ସେ ସମୟର ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ ଆଜିର ନବନିଯୁକ୍ତ ଯୁବପିଢିଙ୍କ କାନ୍ଧରେ ନ୍ୟସ୍ତ ରହିଛି । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢିଙ୍କ ରୋଜଗାର, ସ୍ୱରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି । ପ୍ରଥମେ ସ୍ୱଦେଶୀ 5ଜି ପରେ ଏବେ ଆଇଆଇଟି ମାଡ୍ରାସ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ପ୍ରସ୍ତୁତ କରିଛି । ଏହା ହେଉଛି ଆମ ଯୁବକ ମାନଙ୍କର ନବସୃଜନର ପରାକାଷ୍ଠା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ – ଭାରତ ଯୁବଶକ୍ତିଙ୍କ କାନ୍ଧରେ ଭରସା ରଖି ଅଗ୍ରସର ହେଉଛି । କେବଳ ଚାକିରି କରିବା ମନବୃତ୍ତିରେ ନ ରହି ଯୁବପିଢିମାନେ ଉଦ୍ୟମୀ ହୁଅନ୍ତୁ । ମହତ୍ୱକାଂକ୍ଷା ବଡ ହେଉ, ମହତ ଉଦ୍ଦେଶ୍ୟରେ ହେଉ । ଯେତେବେଳେ ଆମେ ନିଜର ଦାୟିତ୍ୱ ନେବା ସେତେବେଳେ ତା’ର ଗୁରୁତ୍ୱ ଓ ଭୂମିକା ବୁଝିପାରିବା । ସମାଜରେ ସମ୍ପନ୍ନ ଆଣିବା ପାଇଁ ଆମକୁ କ୍ୟାଟେଲିଷ୍ଟ୍ ହେବାକୁ ପଡିବ ।
ସେ କହିଛନ୍ତି ଯେ ରେଳ ବିଭାଗ ସହ ଆସାମ ରିଫାଇଲ୍ସ,ଇନକମ ଟ୍ୟାକ୍ସ, ଷ୍ଟାଟିଟିକ୍ସ, ଆଇଆଇଟି ଭୁବନେଶ୍ୱର, ଇପିଏଫଓ, ଭାରତୀୟ ଡାକ, ନାଲକୋ, ଇଏସଆଇସି,ବିଏସଏଫ, ସେଲ୍, ଏସଏଲବିସି, ଏବଂ ଜିଏସଟି ଓ ଇନଡାରେକ୍ଟ ଟାକ୍ସରେ ଯୁବପିଢିମାନେ ଆଜି ସେବା କରିବାର ସୌଭାଗ୍ୟ ପାଇଛନ୍ତି । ଏହି ପଦକ୍ଷେପ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।