-
ଭୀମେଶ୍ୱର ମନ୍ଦିର ପରିସରରେ ସ୍ଥାନୀୟ ଅଧିବାସୀ ଏକତ୍ରିତ
-
ପଞ୍ଚୁପାଣ୍ଡବ ଐତିହ୍ୟ କରିଡ଼ର ଘୋଷଣା ଏବଂ ତୁରନ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଲୋକଙ୍କ ପ୍ରସ୍ତାବ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ବ୍ରହ୍ମଗିରିର ଗର୍ବ ଓ ଗୌରବର ପ୍ରତୀକ ପଞ୍ଚୁପାଣ୍ଡବ ମନ୍ଦିର ଓଡ଼ିଶାର ଅନନ୍ୟ ଐତିହ୍ୟ କୀର୍ତ୍ତିରାଜି। ମାତ୍ର ଏହି କୀର୍ତ୍ତିରାଜି ଓ ପ୍ରମୁଖ ପବିତ୍ର ପୀଠ ଗୁଡିକର ରକ୍ଷଣା ବେକ୍ଷଣ, ସୁରକ୍ଷା ଓ ସଂରକ୍ଷଣ ପାଇଁ ଆବଶ୍ୟକୀୟ ସରକାରୀ ଉଦ୍ୟମ ହେଉ ନଥିବାରୁ ଏହି ସାଂସ୍କୃତିକ ଓ ଧାର୍ମିକ ସ୍ଥଳୀ ଗୁଡ଼ିକ ଧିରେ ଧିରେ ଧ୍ୱଂସାଭିମୁଖୀ ହେବାକୁ ବସିଲାଣି।ତେଣୁ ପ୍ରତିଟି ପଞ୍ଚୁପାଣ୍ଡବ ମୂଳ ମନ୍ଦିରର ନିର୍ମାଣ, ପୁନଃ ମରାମତି,ରୋଷଶାଳା,ପାଚେରୀ, ପୁଷ୍ପ ଉଦ୍ୟାନ, ପ୍ରାର୍ଥନା ଗୃହ, ଭକ୍ତ ନିବାସ, ଆବଶ୍ୟକ ଜଳ ଓ ପରିମଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। କରିଡ଼ର ଅଞ୍ଚଳକୁ ଯୋଡ଼ିବା ପାଇଁ ଚଉଡ଼ା ରାସ୍ତା ନିର୍ମାଣ,ସବୁ ପୀଠର ସୌନ୍ଦର୍ଯ୍ୟକରଣ ଆଦି ସମନ୍ୱିତ ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ଏହାକୁ ପଞ୍ଚୁପାଣ୍ଡବ ଐତିହ୍ୟ କରିଡ଼ର ରୂପେ ଘୋଷଣା କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଦୃଢ଼ ଦାବି କରାଯାଇଛି।ଏହା ଫଳରେ କେବଳ ବ୍ରହ୍ମଗିରି ଅଞ୍ଚଳର ନୁହେଁ ସମଗ୍ର ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି ସମ୍ମାନ ପ୍ରଦର୍ଶନ ହେଲା ବୋଲି ବୁଝିବାକୁ ହେବ। ନଚେତ୍ ଆଗାମୀ ଦିନରେ ସମଗ୍ର ବ୍ରହ୍ମଗିରି ଅଞ୍ଚଳରେ ବ୍ୟାପକ ଜନ ଅସନ୍ତୋଷ ବଢିବ ଓ ପ୍ରବଳ ପ୍ରତିବାଦ କରାଯିବ ବୋଲି ଆଜି ଚାପମାଣିକ ଗ୍ରାମ ପଞ୍ଚାୟତ ର ପ୍ରସିଦ୍ଧ ପାଣ୍ଡବ ପୀଠ ଭୀମେଶ୍ୱର ମନ୍ଦିର ପରିସରରେ ଆୟୋଜିତ ସାଧାରଣ ସଭାରେ ମତ ପ୍ରକାଶ ପାଇଛି।ଏହି ସଭାରେ ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ ପାଣ୍ଡବ ଐତିହ୍ୟ କରିଡ଼ର ହେଲେ ସମସ୍ତ ପଞ୍ଚୁପାଣ୍ଡବ ମନ୍ଦିର ସୁରକ୍ଷିତ ରହିବା ସହିତ ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଜାଣିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଏପରିକି ବିଦେଶୀ ପର୍ଯ୍ୟଟକ ଏଠାକୁ ଆସି ପାରନ୍ତେ।ଏହା ଦ୍ୱାରା ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ବ୍ୟାପକ କର୍ମ ନିଯୁକ୍ତି ମିଳିପାରିବ।ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ସେ ମତାମତ ରଖିଥିଲେ।ଏହି ସଭାରେ ବ୍ରହ୍ମଗିରି ଅଞ୍ଚଳର ଅନ୍ୟାନ୍ୟ ମୁଖ୍ୟ ସମସ୍ୟା ଯଥା ପାନୀୟ ଜଳ, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଭିତ୍ତିଭୂମି ବିକାଶ ଓ ପର୍ଯ୍ୟଟନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଭାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ପଞ୍ଚୁପାଣ୍ଡବ ମନ୍ଦିର ଐତିହ୍ୟ କରିଡ଼ର ପାଇଁ ସ୍ଥାନୀୟ ଜନତାଙ୍କ ସାମୁହିକ ଉଦ୍ୟମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।