ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଆଳି ଅଂଚଳରେ ସିଏନଜି ଗ୍ୟାସ୍ ପାଇପ୍ ଲାଇନରେ କାର୍ଯ୍ୟ କରୁଥିବା କାରଟେକ୍ ଇଣ୍ଟରନ୍ୟାସନାଲ କମ୍ପାନୀର “ଦୟାଲ” ନାମକ ଏକ ବସ୍ ନଂ ଓଆର୦୫- ଜି୧୮୮୨ ଆଜି ସକାଳେ ପ୍ରାୟ ୪୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ରାଜକନିକା ଗଞ୍ଜାଘାଟ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ବସ୍ ରେ ଥିବା ୪୦ରୁ ଉର୍ଦ୍ଧ୍ଵ ଶ୍ରମିକଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତନ୍ମଧ୍ୟରୁ ତିନି ଗୁରୁତରଙ୍କୁ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏପରି ବେପରୁଆ ଗାଡି ଚାଳନା ଏବଂ ଟ୍ରାଫିକ ନିୟନ୍ତ୍ରଣର ଅଭାବ ହେତୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ତଥା ସାଧାରଣ ଲୋକ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ଏହି ରାସ୍ତାର ଆଳି ସିଙ୍ଗିରି ଠାରେ ଡ୍ରାଇଭରର ବେପରୁଆ ଗାଡିଚାଳନା ପାଇଁ ଏକ ବସ୍ ଓଲଟି ଥିଲା ।