କନ୍ଧମାଳ, ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଂଚଳରେ । ସୂଚନା ପ୍ରକାରେ, ଆଜି ଜ୍ବାଇଁର ଛୁରା ମାଡ଼ରେ ଶ୍ଵଶୁରର ମୃତ୍ଯୁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୁଳିମରା ସାହିରେ ଘଟିଛି ଏହିଭଳି ଜଘନ୍ୟ ହତ୍ୟାକାଣ୍ଡ। ଖାଲି ସେତିକି ନୁହେଁ ଶ୍ବଶୁରଙ୍କୁ ଆକ୍ରମଣ ପରେ ନିଜ ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଛି ସ୍ବାମୀ । ତେବେ ଅଭିଯୁକ୍ତ ଜ୍ବାଇଁକୁ ଥାନାରେ ଅଟକ ରଖିଛି ପୋଲିସ । ମୃତକ ଗୁଳିମରା ସାହିର ଟୁନା ପ୍ରଧାନ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ, ଟୁନା ପ୍ରଧାନଙ୍କ ଝିଅ ସୁଭଦ୍ରାକୁ ବ୍ରହ୍ମପୁରର ସିମାଞ୍ଚଳ ଚୌଧୁରୀ ୧୨ ବର୍ଷ ତଳେ ଭଲପାଇ ବିବାହ କରିଥିଲା । କିନ୍ତୁ, ସବୁବେଳେ ସୁଭଦ୍ରାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବାସହ ଜୀବନରେ ମାରିଦେବାକୁ ଧମକ ଦେଇଆସୁଥିଲା ସ୍ବାମୀ ସିମାଞ୍ଚଳ ବୋଲି କହିଛନ୍ତି ସୁଭଦ୍ରା । କିଛିଦିନ ହେବ ସୁଭଦ୍ରା ବାଲିଗୁଡ଼ା ସ୍ଥିତ ନିଜ ବାପ ଘରକୁ ଆସିଥିବା ବେଳେ ଆଜି ସିମାଞ୍ଚଳ ବାଲିଗୁଡ଼ାରେ ପହଁଚି ପୁଣି ପତ୍ନୀ ସହ ଝଗଡ଼ା କରିଥିଲା । ଏଥିରେ କଥା କଟାକଟି ବେଳେ ହଠାତ୍ ସୀମାଞ୍ଚଳ ଉତକ୍ଷିପ୍ତ ହୋଇ ନିଜ ଶ୍ଵଶୁରଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତର ଅବସ୍ଥାରେ ଟୁନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଡାକ୍ତରଖାନାରେ ଗୁରୁତର ଟୁନା ପ୍ରଧାନଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସିମାଞ୍ଚଳକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ ।