-
ଯୋଜନାରେ ହିତାଧିକାରୀ ଚୟନକୁ ନେଇ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର – ପ୍ରଦୀପ ଅମାତ
ଭୁବନେଶ୍ୱର, ବିରୋଧୀ ମାନଙ୍କ ଦ୍ୱାରା ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ରାଜ୍ୟ ସରକାର ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି ।
ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ – ଯଦି କେହି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଇଛି ତେବେ ସେମାନଙ୍କ ବିରୁଦ୍ଧରେ ଆପତ୍ତିବ୍ୟକ୍ତ କରିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ।
ଚଳିତ ମାସ 16 ତାରିଖରୁ 24 ତାରିଖ ଯାଏ ଆପତ୍ତି ବ୍ୟକ୍ତ କରିବାକୁ ସମୟ ଧ୍ୟାର୍ଯ୍ୟ କରିଛନ୍ତି ।
ସେ କହିଛନ୍ତି ଯେ କେବଳ ସେତିକି ନୁହେଁ ବିଭିନ୍ନ ସମ୍ବାଦ ପତ୍ରରେ ମଧ୍ୟ ଏ ସମ୍ପର୍କରେ ବିଜ୍ଞାପନ ଜାରୀ କରାଯାଇଛି । ଯିଏ କୌଣସି ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଆପତ୍ତି ବ୍ୟକ୍ତ କରିବାକୁ ଚାହୁଁଛନ୍ତି ତେବେ ସେମାନେ କେଉଁ ଫର୍ମାଟରେ ଏହାକୁ ଦେବେ ଓ କେଉଁ ଠାରେ ଅଭିଯୋଗ କରିବେ ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି । ଟେଲିଫୋନ ନମ୍ବର ପ୍ରଦାନ କରାଯାଇଛି, ସେଥିରେ ଲୋକ ମାନେ ସିଧାସଳଖ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରିବେ । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କ ପାଖରେ ଅଭିଯୋଗ କରି ପାରିବେ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇ ପାରିବ ବୋଲି ସେ କହିଛନ୍ତି ।
ତେଣୁ ଏହି ପ୍ରସଙ୍ଗରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦେବା ତଥା ସମ୍ପୂର୍ଣ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସରକାର ସମସ୍ତ ଦ୍ୱାର ଉନ୍ମୁକ୍ତ କରିଛନ୍ତି ।
ସେ କହିଛନ୍ତି ଯେ ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ । ଏହା ପରେ ଉକ୍ତ ଅଭିଯୋଗ ଗୁଡିକୁ ତର୍ଜମା କରାଯିବ ଓ ଏହା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।