ଭୁବନେଶ୍ୱର,ଆସନ୍ତାକାଲି (ଶୁକ୍ରବାର) ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଂଟିବେ । ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ ।
ସୂଚନାଯୋଗ୍ୟ ଯେ ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡରେ କାମ କରୁଛନ୍ତି ।