ପୁରୀ,ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ଯାଳୟ ଓ ଉତ୍କଳ ବିଦ୍ଵତ ପରିଷଦ ମିଳିତ ଆନୁକୂଲ୍ୟରେ ରେ ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ମହିମା ସମ୍ବନ୍ଧୀୟ ଆଲୋଚନା ଚକ୍ରର ଦ୍ଵିତୀୟ ସତ୍ର ବହୁ ଆନନ୍ଦ ଉଲ୍ଲାସ ମଧ୍ଯରେ ପାଳିତ ହୋଇଯାଇଛି । ପାରମ୍ପରିକ ବେଦପାଠ, ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନାନ୍ତେ ଆଗନ୍ତୁକ ଅତିଥି ମାନଙ୍କର ଭବ୍ଯ ସ୍ଵାଗତ କରାଯାଇଥିଲା । ଉତ୍କଳ ବିଦ୍ଵତ ପରିଷଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ରଥ ଉକ୍ତ ସଭାର ଉଦ୍ଦେଶ୍ଯ ଓ ଲକ୍ଷ୍ଯ ବିଷୟରେ ସମ୍ଯକ୍ ଆଲୋକପାତ କରିଥିଲେ । ଉକ୍ତ ସଭାରେ ମୁଖ୍ଯବକ୍ତା ରୂପରେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ବରିଷ୍ଠ ଦଇତାପତି ସେବକ ଓ ବାଡଗ୍ରାହୀ ଯୋଗଦାନ କରି “ନବକଳେବର ବିଧି” ବିଷୟରେ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ । ବିଶ୍ଵବିଦ୍ଯାଳୟର କୁଳସଚିବ ଶ୍ରୀମତୀ ସୁମିତ୍ରା କୁମାରୀ ପଟ୍ଟନାୟକ ନିଜର ଓଜସ୍ଵିନୀ ବକ୍ତବ୍ଯ ପ୍ରଦାନ କରିବା ସହିତ ସ୍ନାତକୋତ୍ତର ପରିଷଦର ଅଧ୍ଯକ୍ଷ ତଥା ସଭାପତି ପ୍ରୋଫେସର ଡଃ ଶତ୍ରୁଘ୍ନ ପାଣିଗ୍ରାହୀ ମହୋଦୟ ନିଜର ଅମୂଲ୍ଯ ବୈଦିକ ଚିନ୍ତାଧାରାକୁ ସର୍ବସାଧାରଣରେ ବ୍ଯକ୍ତ କରି ସଭାକୁ ସାଫଲ୍ଯ ମଣ୍ଡିତ କରିଥିଲେ । ସଭାର ସଂଯୋଜକ ତଥା ସର୍ବଦର୍ଶନ ବିଭାଗମୁଖ୍ଯ ଡଃ ପ୍ରଦୀପ୍ତ କୁମାର ନନ୍ଦ ସଭା ପରିଚାଳନା କରିବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ବିଶ୍ବଵିଦ୍ଯାଳୟର ସମସ୍ତ ବିଭାଗର ଆଚାର୍ଯ୍ଯ, ଆଚାର୍ଯ୍ଯା ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରି ବିଶ୍ଵନିୟନ୍ତା ଜଗନ୍ନାଥଙ୍କ କଥାମୃତ ପାନ କରିଥିଲେ ।
ଉତ୍କଳ ବିଦ୍ଵତ ପରିଷଦ ର ବିଜୟ କୃଷ୍ଣ ବ୍ରହ୍ମା , କମଳାକାନ୍ତ ଆଚାର୍ଯ୍ୟ ,ବିରଂଚି ମିଶ୍ର , ବିନୋଦ ସେନାପତି ,ଦୟାନିଧି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |