
-
ନିଯୁକ୍ତି ଏବଂ ପୁଞ୍ଜି ନିବେଶ ତଥ୍ୟ
-
୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭର ଦୁଇଟି ସଂସ୍କରଣରେ ଓଡିଶାକୁ ୬ଲକ୍ଷ ୨୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ଆସିଥିବାବେଳେ ବର୍ତମାନ ସୁଦ୍ଧା ୫୬୭୪ କୋଟି ଟଙ୍କାର କାର୍ଯ୍ୟକାରୀ ହୋଇଛି
ଭୁବନେଶ୍ୱର, ରାଜ୍ୟ ସରକାର ଗତ ୨୩ ବର୍ଷ ଧରି ରାଜ୍ୟର ଯୁବପୀଢିକୁ ନିରନ୍ତର ଭାବେ ପ୍ରତାରଣା କରିଆସିଛନ୍ତି । ନିଜ ଭାବମୂର୍ତିକୁ ବଂଚାଇବା ପାଇଁ ବିଭିନ୍ନ ସମୟରେ ଅନାମଧେୟ ଓ ଅବିଶ୍ୱସନୀୟ ସଂସ୍ଥାମାନଙ୍କ ପ୍ରାୟୋଜିତ ରିପୋର୍ଟକୁ ଆଧାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ସଂଖ୍ୟା ପରିସଂଖ୍ୟାନ ନୁହେଁ, ବରଂ ଯୁବକଙ୍କ ପ୍ରତି ପରିହାସ ଅଟେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ନିକଟରେ ଅନୁଷ୍ଠିତ ଷ୍ଟାର୍ଟ ଅଫ ମେଳାକୁ ଉଦବୋଧନ ଦେଇ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଅନେକ ମିଥ୍ୟା ତଥ୍ୟର ଅବତାରଣା କରିଛନ୍ତି । ତାଙ୍କ ମତରେ କାଳେ ସର୍ବଭାରତୀୟ ସ୍ତରରେ ନିବେଶ ପ୍ରସ୍ତାବର ୨୦ ପ୍ରତିଶତ କାର୍ଯ୍ୟକାରୀ ହୋଇଥିବାବେଳେ ଓଡିଶାରେ ଏହି ହାର ୩୨ ପ୍ରତିଶତ ଅଛି । କିନ୍ତୁ ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ ରାଜ୍ୟ ସରକାର ସ୍ୱୀକାର କରିଥିଲେ ଯେ, ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭର ଦୁଇଟି ସଂସ୍କରଣରେ ଓଡିଶାକୁ ୬ଲକ୍ଷ ୨୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ଆସିଥିବାବେଳେ ବର୍ତମାନ ସୁଦ୍ଧା ୫୬୭୪ କୋଟି ଟଙ୍କାର କାର୍ଯ୍ୟକାରୀ ହୋଇଛି । ଯାହାକି ନିବେଶ ପ୍ରସ୍ତାବର ମାତ୍ର ୧ ପ୍ରତିଶତ । ସେହିପରି ଏହି ଦୁଇଟି ସଂସ୍କରଣରେ ୭ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତିର ଆଶ୍ୱାସନା ଦିଆଯାଇଥିବାବେଳେ ନିଯୁକ୍ତି ପାଇଥିଲେ ମାତ୍ର ୫୮୭୮ । ଯାହାକି ଆଶ୍ୱାସନାର କେବଳ ୦.୭୯ ପ୍ରତିଶତ ଅଟେ । ପ୍ରସ୍ତାବିତ ୨୮୬ଟି ପ୍ରକଳ୍ପରୁ ମାତ୍ର ୧୬ଟି କାର୍ଯ୍ୟକାରୀ ହୋଇଛି, ଅର୍ଥାତ ୫.୬ ପ୍ରତିଶତ । ଏହାକୁ କଣ ଏକ ସଫଳ ପୁଞ୍ଜି ନିବେଶ ବୋଲି କୁହାଯାଇପାରିବ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଅର୍ଥନୀତିର ଗ୍ଲୋବାଲାଇଜେସନରେ ପୁଞ୍ଜି, ଶ୍ରମ, ବୈଷୟିକ ଜ୍ଞାନ ଏବଂ ଦ୍ରବ୍ୟ ଓ ସେବାର ଅବାଧ ଆନ୍ତରାଷ୍ଟ୍ରୀୟ ଯାତାୟତକୁ ପ୍ରାଧାନ୍ୟ ଦିଆଯାଇଥାଏ । ସେ ଦୃଷ୍ଟିରୁ ୨୦୧୯ ରୁ ୨୦୨୨ ମଧ୍ୟରେ ମହାରାଷ୍ଟ୍ରକୁ ୪୭୦୦ କୋଟି ଡଲାର ; କର୍ଣ୍ଣାଟକକୁ ୩୯୦୦ କୋଟି ଡଲାର ; ଗୁଜୁରାଟକୁ ୩୦୦୦ କୋଟି ଡଲାର ; ଦିଲ୍ଲୀକୁ ୨୨୦୦ କୋଟି ଡଲାର ; ଏପରିକି ଝାରଖଣ୍ଡକୁ ୨୬୦ କୋଟି ଡଲାର ଏବଂ ଦାଦ୍ରା-ନଗର-ହାବେଳୀ-ଦାମନ-ଡିଉ ଭଳି ଛୋଟିଆ ରାଜ୍ୟକୁ ମଧ୍ୟ ୧୫ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସିଥିବାବେଳେ ଓଡିଶାକୁ ମାତ୍ର ୧୪.୮ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି । କନକ୍ଲେଭର ସଫଳତା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ବିଦେଶ ଗସ୍ତ କରି ମଉଜ ମଜଲିସ୍ କରିଥିବାବେଳେ ଗରୀବ ଓଡିଆ ଟିକସଦାତାଙ୍କ ଅର୍ଥକୁ କିଭଳି ଆତ୍ମସାତ କରାଯାଇଛି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସମଗ୍ର ଦେଶର ଷ୍ଟାର୍ଟଅଫ୍ ବ୍ୟବସ୍ଥାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ଶିଳ୍ପମନ୍ତ୍ରୀ ବାହାସ୍ପୋଟ ମାରିଛନ୍ତି । କିନ୍ତୁ, ସମଗ୍ର ଦେଶରେ ୮୮ ହଜାର ଷ୍ଟାର୍ଟଅଫ୍ ଚିହ୍ନଟ ହୋଇଥିବାବେଳେ ଓଡିଶାରେ ମାତ୍ର ୧୪୩୪ଟି ଚିହ୍ନଟ ହୋଇଛି । ୧୦୦ କୋଟି ଡଲାରରୁ ଅଧିକ ନିବେଶ ହୋଇଥିବା ଷ୍ଟାର୍ଟଅଫ୍ ବା ୟୁନିକର୍ଣ୍ଣଙ୍କ ସଂଖ୍ୟା ଦେଶରେ ୧୦୦ରୁ ଅଧିକ ହୋଇଥିବାବେଳେ ଓଡିଶାରେ ମାତ୍ର ଶୁନ୍ୟ ରହିବା ଦୁର୍ଭାଗ୍ୟଜନକ । ଏହା ସତ୍ୱେ ଓଡିଶା ସରକାର ନିଜକୁ ସର୍ବଶ୍ରେଷ୍ଠ ବୋଲି ଦାବୀ କରିବା ବାହାପିଆଙ୍କ ବାରବାଟୀ ଚାଷ ବୋଲି ଶ୍ରୀ ପଣ୍ଡା କଟାକ୍ଷ କରି କହିଛନ୍ତି ।
ସେହିପରି ଗତ ଡିସେମ୍ବର ମାସର ସିଏମଆଇଇ ତଥ୍ୟକୁ ନେଇ ଶାସକ ବିଜେଡି ବେଶ ଉତ୍ଫୁଲ୍ଲିତ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା । ଏହି ସଂସ୍ଥାର ପୃଷ୍ଟଭୁମିକୁ ବିଶେଷ ଆଲୋଚନା ନକରି ଓଡିଶାରେ ବେରୋଜଗାର ହାର ମାତ୍ର ୦.୯୦ ପ୍ରତିଶତ ରହିବା ତଥ୍ୟକୁ ଅବିଶ୍ୱସନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟ ପକ୍ଷରେ ରିଜର୍ଭ ବ୍ୟାଂକର ସଦ୍ୟତମ ପ୍ରକାଶିତ “ହ୍ୟାଣ୍ଡ ବୁକ୍ ଅଫ୍ ଷ୍ଟାଟିସଟିକ୍ସ ଅନ୍ ଇଣ୍ଡିଆନ ଷ୍ଟେଟସ୍” ର ତଥ୍ୟ ଅନୁଯାୟୀ ଭାରତର ଗ୍ରାମାଂଚଳରେ ପ୍ରତି ହଜାର ଜନସଂଖ୍ୟାରେ ୩୩ ଜଣ ବରୋଜଗାର ଥିବାବେଳେ ଓଡିଶାରେ ତାହା ୧୦୦୦ ରେ ୫୦ ରହିଛି । ସେହିପରି ଭାରତର ସହରାଂଚଳର ପ୍ରତି ହଜାର ଜନସଂଖ୍ୟାରେ ୬୭ ଜଣ ବରୋଜଗାର ଥିବାବେଳେ ଓଡିଶାରେ ତାହା ୧୦୦୦ ରେ ୭୮ ରହିଛି । ତେଣୁ ଓଡିଶାର ବେରୋଜଗାର ସମସ୍ୟା ସର୍ବଭାରତୀୟ ସମସ୍ୟାଠାରୁ ଅଧିକ ଉତ୍କଟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।