ଭୁବନେଶ୍ୱର, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚଳିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବିଟି (ଓଟିଇଟି) ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ କରି ପରିଷଦ କାର୍ଯାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଥିବା ଶିକ୍ଷକ ମାନଙ୍କ ବିରୁଦ୍ଧରେ ଶୃଙ୍ଖଳାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗକୁ ପତ୍ର ଲେଖା ଯାଇଛି । ପରିଷଦର ସଚିବ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦେଶକଙ୍କୁ ଏହି ପତ୍ର ଲେଖିଛନ୍ତି ।
ଉଲ୍ଲେଖନୀୟ ଯେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚଳିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବିଟି (ଓଟିଇଟି) ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ କରି ଏହି ପରୀକ୍ଷାରେ ଫେଲ ହୋଇ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଆନ୍ଦୋଳନ କରିଥିଲେ । ସେମାନେ ପରୀକ୍ଷା ପ୍ରଶ୍ନପତ୍ର ଓ ପରିଚାଳନାରେ ତ୍ରୁଟି ଥିବା ଅଭିଯୋଗରେ ସେମାନଙ୍କୁ ଗ୍ରେସ ମାର୍କ ଦେଇ ପାସ ଘୋଷଣା ପାଇଁ ଦାବି କରିଥିଲେ । ଏହି ଦାବି ନେଇ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ।