ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ଅନିୟମିତତା ଓ ସଠିକ ହିତାଧିକାରୀଙ୍କୁ ଯୋଜନାର ଲାଭ ନ ମିଳିବା ଓ ଦଳୀୟ ଆଧାରରେ ଯୋଜନାରେ ହିତାଧିକାରୀ ଚୟନ କରାଯିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟୀର ଏକ ପ୍ରତିନିଧି ଦଳ ମଙ୍ଗଳବାର ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ପ୍ରତିନିଧି ଦଳରେ ବିଜେପି ବିଧାୟକ ମୋହନ ମାଝୀ, ମୁକେଶ ମହାଲିଙ୍ଗ, ସନାତନ ବିଜୁଳୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।
ଦଳ ପକ୍ଷରୁ ଦିଆଯାଇଥିବା ସ୍ମାରକ ପତ୍ରରେ ଦାବି କରାଯାଇଛି ଯେ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଲିଷ୍ଟରେ ସାମିଲ କରାଯାଉ ।ସାଢ଼େ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ୱଚ୍ଛତାରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କାରଯାଉ ବୋଲି ଏଥିରେ ଉଲ୍ଲେଖ ରହିଛି ।