
କଟକ, କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳରେ ଏକ ଘରୁ ଗତକାଲି ମା ଓ ୩ ବର୍ଷିୟ ଶିଶୁପୁତ୍ରର ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ମୃତ ମହିଳା ଶିଳ୍ପୀ ଖୁଂଟିଆଙ୍କ ସ୍ଵାମୀ ସନ୍ତୋଷ ଖୁଂଟିଆଙ୍କୁ ଗିରଫ କରିଛି । ଗତକାଲି ଠାରୁ ସନ୍ତୋଷଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଥିଲା ମଧୁପାଟଣା ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ।
ପାରିବାରିକ ଅଶାନ୍ତିକୁ ନେଇ ଏଭଳି ଚରମ ନିଷ୍ପତି ନେଇଥିଲେ ଶିଳ୍ପୀ । ସେ ନିଜ ସାବତ ପୁଅର ତଂଟି କାଟି ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗତକାଲି ମା ପୁଅଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଥିଲା । ସନ୍ତୋଷଙ୍କ ଦ୍ଵିତୀୟ ପତ୍ନୀ ଥିଲେ ଶିଳ୍ପୀ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସନ୍ତୋଷ ଶିଳ୍ପୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଏହି ଶିଶୁପୁତ୍ରକୁ ଶିଳ୍ପୀ ଲାଳନ ପାଳନ କରୁଥିଲେ ।