
ବୌଦ୍ଧ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଉଦ୍ୟମରେ ଗୋହିପିଟା ଠାରେ ଏକ ବିଦ୍ୟାଳୟ ସହିତ ଏକ ଡାକ୍ତରଖାନା ପ୍ରତିଷ୍ଠା କରିବେ। ସାଂସଦ ଯୋଗୀନ୍ଦ୍ରପୁର ପଂଚାୟତ ଗୋହିପିଟା ଠାରେ ଏକ ବିଦ୍ୟାଳୟ ସହିତ ୨ ଶହ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଭୂମି ପୂଜନ କରିଛନ୍ତି । ଗୋହିପିଟା ଠାରେ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଲୋକସଭା ସଦସ୍ୟ ଡାକ୍ତର ଅଚ୍ୟୁତ ସାମନ୍ତ, ମୁଖ୍ୟ ସମ୍ମାନିତ ଅତିଥିଭାବେ କଣ୍ଟାମାଲ ବିଧାୟକ ମହିଧର ରଣା, ଅନ୍ୟତମ ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବରିଷ୍ଠ ନେତା ଜାନି ସେନାପତି, ବୌଦ୍ଧ ବିଜେଡି ଉପସଭାପତି ସୁଧୀର କୁମାର ମହାକୁଡ଼, ସାଂସଦ ପ୍ରତିନିଧି ସମ୍ଭୁପ୍ରସାଦ ସାହୁ, ବରିଷ୍ଠ ନେତା ରମଣି ପ୍ରଧାନ, ବୌଦ୍ଧ ବ୍ଲକ ବିଜେଡି ସଭାପତି ବାଳ ମୁକୁନ୍ଦ ମେହେର, ଯୋନ ନଂ ୧ ଜିଲ୍ଲାପାରିଷଦ ସଭ୍ୟା ସୁମିତ୍ରା ସାହୁ ପ୍ରମୁଖ ମଞ୍ଚାସିନ ହୋଇ ବିଜୁ ଜନତା ଦଳର ନାମକରଣ ଠାରୁ ଆରମ୍ଭ କରି ଏହାର ପ୍ରତିଷ୍ଠା ଦିନ ଠାରୁ ଦଳ କିପରି ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି, ଭଲ ପାଇବା ପାଇ ପାରିଛି, ବର୍ଷକୁ ବର୍ଷ କିପରି ଅଧିକରୁ ଅଧିକ ଜନ ସମର୍ଥନ ହାସଲ କରିପାରିଛି, ବିଜୁ ବାବୁଙ୍କ ସ୍ଵପ୍ନ ସାକାର ପାଇଁ ପ୍ରତିବଦ୍ଧତା, ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତି, ବିଜେଡିର ଜନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶେଷକରି ବିଜେଡି ଶାସନ ସମୟରେ ତଥା ମହିଧର ରଣା ବିଧାୟକ ହେବା ଦିନଠୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟର ଉନ୍ନତି, ଜଳସେଚନ ପାଇଁ ୪ ଟି ମେଗା ଜଳସେଚନ ପ୍ରକଳ୍ପ ସ୍ଥାପନ, ପିଇବା ପାଣି ପାଇଁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା, ଗମନାଗମନ ପାଇଁ ତେଲନଦୀ ଉପରେ ୪ ଟି ସେତୁ ନିର୍ମାଣ ଚାଲୁଥିବା, ବାଉଁଶୁଣି-ବିରମହାରାଜପୁର ସଂଯୋଗ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ ଯୋଜନା ଆରମ୍ଭ, ବହୁତ ଗ୍ରାମ ମନ୍ଦିର ମରାମତି, କମ୍ୟୁନିଟି ସେଣ୍ଟର, କୁଞ୍ଜଘର ନିର୍ମାଣ, ଖେଳ ପଡିଆ ଉନ୍ନତିକରଣ ଇତ୍ୟାଦି ଅନେକ ବିକାଶମୂଳକ କାମ ପାଇଁ ବିଧାୟକ ପାଣ୍ଠି ଓ ଅନ୍ୟ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବିଧାୟକ ଶ୍ରୀ ରଣା ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଏ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟର ସେବା ପ୍ରଦାନ ପାଇଁ କନ୍ଧମାଳ ସାଂସଦ ଡାକ୍ତର ସାମନ୍ତ ନିଜ ବ୍ୟକ୍ତିଗତ ପ୍ରଚେଷ୍ଟା ତଥା ଉଦ୍ୟମରେ ଗୋହିପିଟା(ରଙ୍ଗପାଲି) ଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ସକାଶେ ଏକ ବିଦ୍ୟାଳୟ ସ୍ଥାପନ ଏବଂ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇଦେବା ପାଇଁ ୨ ଶହ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସାଂସଦ ଡାକ୍ତର ସାମନ୍ତ ଗତକାଲି ଭୂମି ପୂଜନ କରିଥିଲେ। ପ୍ରାୟ ୧ ଶହ ଏକର ପରିମିତ ସ୍ଥାନରେ ହେବାକୁ ଥିବା ଏହି ବିଦ୍ୟାଳୟ ଓ ଡାକ୍ତରଖାନା ଭୂମିପୂଜନ କରିଥିବାରୁ ଉପସ୍ଥିତ ସମସ୍ତ ବିଜେଡି ନେତା ସାଂସଦ ଡ. ସାମନ୍ତଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଆମ ସାଂସଦ ହୋଇ ନ ଥିଲେ ଏପରି ବଡ଼ ପ୍ରକଳ୍ପ ବିନା ସରକାରୀ ସାହାଯ୍ୟରେ ଆମେ ପାଇ ପାରି ନ ଥାନ୍ତୁ ବୋଲି ଜିଲ୍ଲାପାରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବିଧାୟକ ଶ୍ରୀ ରଣା, ଜିଲ୍ଲା ବିଜେଡି ଉପସଭାପତି ସୁଧୀର ମହାକୁଡ଼, ବରିଷ୍ଠ ନେତା ଜାନି ସେନାପତି ପ୍ରମୁଖ କହିଥିଲେ। ସେହିପରି ଗୋହିପିଟାକୁ ମିଶାଇ ମନମୁଣ୍ଡାକୁ ଏକ ବିଜ୍ଞାପିତ ଅଂଚଳ ପରିଷଦ(ଏନ ଏ ସି) ଘୋଷଣା କରିବାକୁ ଚେଷ୍ଟା କରିବା ପାଇଁ ଜାନି ସେନାପତି ଦାବି ରଖିଥିଲେ।
ଏମାନଙ୍କ ବ୍ୟତୀତ କସୁରବନ୍ଧ ସରପଞ୍ଚ ସରୋଜ କୁମାର କର୍ଣ୍ଣ, ଶଗଡା ସମିତି ସଭ୍ୟ କୁନୁ ଦନ୍ତା, ବରିଷ୍ଠ ବିଜେଡି ନେତା ରବିନାରାୟଣ ପଣ୍ଡା, ତ୍ରିନାଥ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣା, ଯୁବ ନେତା ସୁଧାଂଶୁ ରଣାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଇଥିବା ସଭାରେ ପ୍ରାୟ ୧୦ ହଜାର ଜନ ସମାଗମ ହୋଇଥିଲା। ଶେଷରେ ଯୁବ ଦକ୍ଷ ନେତା ରଞ୍ଜନ ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ।