ରାଉରକେଲା, ସରକାରଙ୍କର ନିୟମ ରହିଛି ଦୁର୍ଘଟଣାରେ ଆହତ ବ୍ୟକ୍ତି ୪୮ ଘଂଟା ଭିତରେ ଡାକ୍ତରଖାନାରେ ପହଁଚିଲେ ତାର ଆଶୁ ଚିକିତ୍ସା କରିବା ଦାୟିତ୍ଵ ଡାକ୍ତରଖାନା ମାନଙ୍କର, ହେଲେ ରାଉରକେଲା ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନା ଜେପି ହସପିଟାଲ ଏହି ନିୟମକୁ ଫୁ କରିଦେଲେ। ରୋଗୀ ପହଁଚିବାର ୨ଘଂଟା ଯାଏ ପଚାରିଲେନି, ବିଏସକେୱାଇ କାର୍ଡ ଧାରୀ ଏହି ପରିବାରର ପୁଅର ଚିକିତ୍ସା ଲାଗି ଓଲଟି ୫୦ ହଜାର ମାଗିଲେ, ପରିବାର ଲୋକ ଦେଇ ପାରିଲେନି ଚିକିତ୍ସା ମଧ୍ୟ ହେଲାନି ଶେଷରେ ଯୁବକଙ୍କର ମୃତ୍ୟୁ ଘଟିଲା ବୋଲି ତାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ରାଉରକେଲା ହନୁମାନ ବାଟିକା ନିକଟରେ ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏସଟିଆଇ ନିବାସୀ ଚନ୍ଦନ ଦଳାଇ (୧୯) ମୋଟର ସାଇକେଲରେ ଦୁର୍ଘଟଣାଗ୍ରସ୍ତ ହୋଇ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଦେଖି ତାଙ୍କୁ ଜେପି ଡାକ୍ତରଖାନାକୁ ପଠାଇଦେଲେ । ତେବେ ଜେପି ଡାକ୍ତରଖାନାରେ ଅପରାହ୍ନ ୫ଟା ୧୫ରେ ଏହି ରୋଗୀ ପହଁଚିବାର ୨ଘଂଟାଯାଏ କୌଣସି ଚିକିତ୍ସା କରାନଯାଇ ଓଲଟି ୫୦ ହଜାର ଟଙ୍କା ଦାଖଲ ଲାଗି କୁହାଯାଇଥିବା ଅଭିଯୋଗ ହୋଇଛି । ଏହି ରୋଗୀଙ୍କର ପରିବାର ପାଖରେ ବିଏସକେୱାଇ କାର୍ଡ ମଧ୍ୟ ରହିଥିଲା କିନ୍ତୁ ତାଙ୍କୁ ସଠିକ ଭାବେ ଚିକିତ୍ସା ମିଳିଲାନି ତେଣୁ ସନ୍ଧ୍ୟା ୭ଟା ୩୦ ରେ ଯୁବକର ଜୀବନ ଚାଲିଗଲା । ଆଜି ସକାଳୁ ଏହି ଖବର ପାଇ ସହରର ଅନେକ ଯୁବକ ସେଠାରେ ପହଁଚି ଡାକ୍ତରଖାନାର ସମ୍ମୁଖରେ ଲାଗିଥିବା କାଚ ଗୁଡିକୁ ଭାଂଗି ଚୁରମାର କରିବାପରେ ପୁଲିସ ସେଠାରେ ପହଁଚି ସ୍ଥିତିକୁ ଆୟତକୁ ନେଇଛି । ତେବେ ଏହି ଘଟଣାରେ ମୃତ ଯୁବକର ପିତା ହେମନ୍ତ ଦଳେଇ ଯିଏକି ଫାଷ୍ଟଫୁଡ ଦୋକାନ କରି ଚଳନ୍ତି ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅର ଚିକିତ୍ସା ଏହି ଡାକ୍ତରଖାନା କଲାନି ୫୦ ହଜାର ମାଗିଲେ ଓ ଶେଷରେ ତାଙ୍କ ପୁଅର ମୃତ୍ୟୁହେଲା। ଏଥିଲାଗି ଜେପି ଡାକ୍ତରଖାନା ଦାୟୀ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି । ତେଣୁ ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାନଯିବା ଓ ଜଣେ ଯୁବକର ଜୀବନ ଚାଲିଜିବା ମାମଲାରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଜାଣିବା ଶୁଣିବା ମହଲରେ ଆଲୋଚନା ଚାଲିଛି ।