
ନୟାଗଡ଼, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ମା ମଙ୍ଗଳା ରାଇସ୍ ମିଲ୍ ରେ ଘଟିଛି ଅଘଟଣ । ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଏହି ଦୁଇ ଶ୍ରମିକ ଗୋଦାମରେ ଷ୍ଟକ୍ ଦେଖୁଥିବା ବେଳେ ଧାନ ବସ୍ତା ଗଦା ଉପରେ ଏକ ଲୁହା ବିମ୍ ଖସି ପଡିଥିଲା । ଫଳରେ ଦୁଇ ଶ୍ରମିକଙ୍କ ଉପରେ ଧାନ ବସ୍ତା ଖସି ପଡିଥିଲା । ସେମାନେ ଏହା ତଳେ ଚାପି ହୋଇ ରହିଯାଇଥିଲେ । ଗୁରୁତର ଦୁଇ ଶ୍ରମିକଙ୍କୁ ତୁରନ୍ତ ଓଡ଼ଗାଁ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ମାନେ ହେଲେ ଗଞ୍ଜାମ ତିରିସିଂ ଗ୍ରାମର ରାମେଶ୍ଵର ଦିହୁଡ଼ି ଓ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରର ପ୍ରମୋଦ ମହାରଣା ବୋଲି ଜଣାପଡିଛି । ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା ସେନେଇ ଛାନଭିନ୍ ଜାରୀ ରଖିଛି ପୋଲିସ ।