
ସାହାରପଡା, କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକର ହାଇସ୍କୁଲ ପରିସରରେ ”ନଭସଂଚାରୀ କୁଳମାଲୀ ଗବେଷଣା ପରିଷଦ” ତରଫରୁ ଡ. ମିଲନ ମହାନ୍ତଙ୍କ ଆବାହକତ୍ବରେ କୁଳମାଲୀ ନବବର୍ଷ ତଥା ”ହାଲପୁନା” ଉପଲକ୍ଷେ ଏକ ସଭା ଆୟୋଜିତ ହେ।ଇଥିଲା । ଏହି ସଭାରେ ପ୍ରାକ୍ତନ ପ୍ରାଣୀଧନ ଶଲ୍ଯ ଚିକିତ୍ସକ ତଥା ବିଶିଷ୍ଟ ଓଡିଆ ଓ କୁଳମାଲୀ ଲେଖକ ଡା. ଗୌରହରି ମହାନ୍ତବର୍ମାଙ୍କ ସଦ୍ଯ ପ୍ରକାଶିତ ”କୁର୍ମାଲୀ ଭାଷା ଓ ବ୍ଯାକରଣ ପରିଚୟ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଂଗପୁର ମହାବିଦ୍ୟାଳୟର ପ୍ରାକ୍ତନ ଇତିହାସ ପ୍ରାଧ୍ଯାପକ ଜଗବନ୍ଧୁ ମହାନ୍ତ ପରିଷଦ ତରଫରୁ ଶ୍ରୀ ମହାନ୍ତବର୍ମାଙ୍କୁ ଉତ୍ତରୀୟ ଓ ପୁଷ୍ପସ୍ତବକ ଅର୍ପଣ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାର ପ୍ରତ୍ଯୁତ୍ତରରେ ଶ୍ରୀ ମହାନ୍ତବର୍ମା ନିଜର ଲେଖକୀୟ ଅନୁଭୂତି ଓ କୁଳମାଲୀ ଭାଷାସଂସ୍କୃତିର ବୈଶିଷ୍ଟ୍ୟ ବିଷୟରେ ଆଲୋକପାତ କରିଥିଲେ । ପୁସ୍ତକଟିର ସମୀକ୍ଷା କରିଥିଲେ ରାଇରଙ୍ଗପୁର ମହାବିଦ୍ୟାଳୟର ଓଡିଆ ଅଧ୍ଯାପକ ଡକ୍ଟର ମିଲନ ମହାନ୍ତ । ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ବକ୍ତା ଥିଲେ ଯଶିପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବିଜ୍ଞାନ ଶିକ୍ଷକ ତଥା ଆଇନଜୀବୀ ମଙ୍ଗୁଳୁ ଚରଣ ମହାନ୍ତ, ବାଟପଳଶାର ପ୍ରାକ୍ତନ ଶିକ୍ଷକ ଶ୍ରୀଧର ମହାନ୍ତ, ରସମତଳାର ରବୀନ୍ଦ୍ରନାଥ ମହାନ୍ତ, ସଂଜୀବନୀ ସାହିତ୍ଯ ସଂସଦ, ଭଣ୍ଡାର ସଂପାଦକ ଡମ୍ବରୁ ମହାନ୍ତ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କରଂଜିଆର ସଂସ୍କୃତ ଆଚାର୍ଯ୍ୟା ରାଜଶ୍ରୀ ମହାନ୍ତ । ଏହି ଅବସରରେ ”କୁର୍ମାଲୀ ଭାଷାର ଭବିଷ୍ୟତ” ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ଯକ୍ଷତା କରିଥିଲେ ସମ୍ବଲପୁର ଜୋନ୍ ର ପୂର୍ବତନ ଜୋନାଲ ଡାଇରେକ୍ଟର ଭୂତତ୍ତ୍ବବିତ୍ ରମାକାନ୍ତ ମହାନ୍ତ। ମୁଖ୍ୟବକ୍ତା ଥିଲେ ଯଶିପୁର ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ଯାପକ ଲକ୍ଷ୍ମୀଧର ମହାନ୍ତ। ସମ୍ମାନିତ ବକ୍ତାରୂପେ ବକ୍ତବ୍ଯ ଉପସ୍ଥାପନ କରିଥିଲେ କରଂଜିଆ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଯଯାତି କିଶୋର ମହାନ୍ତ, ଖୋଜୁରୀସାଗର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ହିନ୍ଦୀ ଶିକ୍ଷକ ତଥା ଲେଖକ ରବୀନ୍ଦ୍ରନାଥ ମହାନ୍ତ, ପୂର୍ତ୍ତ ବିଭାଗ, କରଂଜିଆର ପୂର୍ବତନ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ ମହାନ୍ତ, ଗବେଷକ ଡକ୍ଟର ଜ୍ଯୋତିକିଶୋର ମହାନ୍ତ, ଡକ୍ଟର ଲିପି ମହାନ୍ତ ଓ ଗାଳ୍ପିକ ରଘୁନାଥ ମହାନ୍ତ ।
ବକ୍ତାଗଣ କୁଳମାଲୀ ଭାଷା ପ୍ରତି ଶ୍ରୀ ମହାନ୍ତବର୍ମାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ କୁଳମାଲୀ ବର୍ଣ୍ଣବୋଧ ଓ ଭାଷାକୋଷ ପ୍ରଣୟନ ତଥା କୁଳମାଲୀ ଲୋକସଂସ୍କୃତି ଉପରେ ଅଧିକ ଗବେଷଣା କରାଯିବାକୁ ମତପୋଷଣ କରିଥିଲେ । ଡକ୍ଟର ମିଲନ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଗଣ୍ଡବେଡା ଉଚ୍ଚ ବିଦ୍ୟାଳୟର ଭାଷା ଓ ସାହିତ୍ୟ ଶିକ୍ଷକ ପ୍ରଭାକର ମହାନ୍ତଙ୍କ ରଚିତ କୁଳମାଲୀ ଭାଷାର ସ୍ବାଗତ ସଂଗୀତ ଗାନ କରିଥିଲେ ପ୍ରଭାକର ମହାନ୍ତ ଓ ତୁରୁ ମହାନ୍ତ । ମାନ୍ଦଲ ବଜାଇଥିଲେ ଭୁଟାଙ୍ ମହାନ୍ତ । ରାଜଶ୍ରୀ ମହାନ୍ତଙ୍କ ଧନ୍ଯବାଦ ଓ କୃତଜ୍ଞତା ଅର୍ପଣ ପରେ ପରିଶେଷରେ ସାମୂହିକ ଭୋଜନ ବିରତି ପରେ ଝୁମର ଗୀତ ଓ ନାଚ ଅନୁଷ୍ଠିତ ହୋଇଥିଲା ।