
-
ହାତୀ ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରି
କନ୍ଧମାଳ, କନ୍ଧମାଳରେ ହାତୀ ଆତଙ୍କ । ୫୦ ଟିକିଆ ହାତୀପଲ ଗାଁ ନିକଟ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ – କଳାହାଣ୍ଡି ସିମାନ୍ତ ଝିରିପାଣି, ଭଣ୍ଡରଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେପଟେ ଘଟଣାକୁ ନେଇ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ହାତୀର ଗତିପଥ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ ।
ସୂଚନା ପ୍ରକାରେ, ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଝିରିପାଣି ଗାଁ ଅଞ୍ଚଳକୁ ସିମାନ୍ତ ଜଙ୍ଗଲରୁ ୫୦ ଟିକିଆ ହାତୀପଲ ପଶି ଆସିଥିବା ଜଣାପଡ଼ିଛି । ଏହି ହାତିପଲ ଆଜକୁ ପ୍ରାୟ ୭ରୁ ୮ଦିନ ହେବ ଝିରିପାଣି ଜଙ୍ଗଲରେ ରହିଥିବା ବେଳେ ଗାଁ ନିକଟସ୍ଥ ନାଳକୁ ପାଣି ପିଇବାକୁ ଆସୁଛନ୍ତି । ପୂର୍ବରୁ ଧାନ ଅମଳ ସମୟରେ ଗାଁ ଭିତରକୁ ଆସି ଲୋକଙ୍କ ଚାଷ ନଷ୍ଟ କରିଥିବା ବେଳେ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଲୋକେ ଭୟଭୀତ ଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ହାତୀ ଟ୍ରାକିଙ୍ଗ୍ ସ୍କ୍ବାର୍ଡ ଗଠନ କରି ହାତୀର ଗତିପଥ ବଦଳେଇବା ସହ ହାତୀପଲକୁ ଘଉଡାଇବା ନେଇ ପ୍ରୟାସ କରୁଛି ଟିମ୍ । ଏଥିସହିତ ଝିରିପାଣୀ ଫରେଷ୍ଟର ଶିବାଜୀ ବେହେରା ଓ ରେଞ୍ଜର ଅରୁଣ ସାହୁ ଅଞ୍ଚଳବାସୀଙ୍କୁ ସଚେତନ କରାଉଛନ୍ତି । ଝିରିପାଣୀ ଜଙ୍ଗଲକୁ କଳାହାଣ୍ଡି ଜଙ୍ଗଲ ଲାଗିଥିବାରୁ କଳାହାଣ୍ଡି ପଟରୁ ଏହି ହାତୀପଲ ଉକ୍ତ ଅଞ୍ଚଳକୁ ପଶି ଆସିଥିବା ଅନୁମାନ କରୁଛି ବନବିଭାଗ ।
ଏଭଳି ବିଭିନ୍ନ ସମୟରେ ହାତୀପଲ ବେଲଘର ବନାଞ୍ଚଳର ଝିରିପାଣୀ, ଲଙ୍କାଗଡ,ଭଣ୍ଡରଙ୍ଗି ଜଙ୍ଗଲକୁ ଆସି ରହୁଥିବା ଦେଖିବାକୁ ମିଳୁଛି । ହାତୀ ଭୟରେ ଅନେକ ସରକାରୀ କାର୍ଯ୍ୟକ୍ରମ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବନ୍ଦ ରହିଥିବା ଜଣାପଡ଼ିଛି ।