
ଭୁବନେଶ୍ୱର, ଓଡ଼ିଶାର ଜଣେ ବିଶିଷ୍ଟ ଶ୍ରମିକ ନେତା ତଥା ବସ୍ତି ଉନ୍ନୟନ ମହାସଂଘର ଦୀର୍ଘଦିନର ସମ୍ପାଦକ, ସିପିଆଇ ଭୁବନେଶ୍ୱର ଜୋନ୍ କମିଟିର ବହୁ ବର୍ଷ ଧରି ସହସମ୍ପାଦକ ରହିଥିବା ଦାମୋଦର ମହାପାତ୍ରଙ୍କ ବିୟୋଗରେ ଏକ ସ୍ମୃତିସଭା ସିପିଆଇ ଜୋନ ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ସୋମବାର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗଦେଇ ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଏଆଇଟିୟୁସିର ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ଆଶାକର୍ମୀଙ୍କ ରାଜ୍ୟ ନେତ୍ରୀ ନମିତା ସାହୁ, ସିପିଆଇ ଖୋର୍ଦ୍ଧା ଜିଲ୍ଲା ସହସମ୍ପାଦକ ସତୀଶ ମିଶ୍ର, ବିଦ୍ୟୁତ୍ ଫେଡ଼େରେସନ ନେତା ସତ୍ୟବାଦୀ ବାଘ ଓ ଆକୁଳି ନାଥ, ଏଆଇଟିୟୁସି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରୀକୃଷ୍ଣ ପଟ୍ଟନାୟକ, ନୃସିଂହ ବେହେରା, ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘର କୈଳାସ ପୁହାଣ, ବସ୍ତି ମହାସଂଘର ନେତ୍ରୀ ମମତା ବରାଳ, ନୂଆଦୁନିଆର ସାମ୍ବାଦିକ ରମେଶ ପ୍ରଧାନ ପ୍ରମୁଖ ପ୍ରୟାତ ଦାମୋଦର ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଭୁବନେଶ୍ୱରରେ କମ୍ୟୁନିଷ୍ଟ ପାର୍ଟିର୍ର ଶାଖା ୧୯୭୦ ମସିହାରେ ପ୍ରତିଷ୍ଠା, ଦରଜୀ ସଂଘ ଗଠନ ଓ ବସ୍ତି ମହାସଂଘ ହେଲାବେଳେ ମହାପାତ୍ରଙ୍କ ଅବଦାନକୁ ବକ୍ତାମାନେ ସ୍ମରଣ କରିଥିଲେ । ଏବେ ହକିଖେଳ ନାମରେ ରାଜଧାନୀକୁ ସୁନ୍ଦର କରି ଦେଖାଇବା ପାଇଁ ବସ୍ତି ଓ ବସ୍ତିବାସିନ୍ଦାଙ୍କୁ ଟିଣ ଘେରାବନ୍ଦୀ କରି ରଖିବା ଓ ଉଠା ଦୋକାନୀଙ୍କ ଜୀବିକା ବୁଡ଼ାଇ ସେମାନଙ୍କ ଦୋକାନ ଯେପରି ଉଠାଇ ଦିଆଯାଇଛି, ତାହାକୁ ବକ୍ତାମାନେ ସମାଲୋଚନା କରିଥିଲେ । ସଭାରେ ବହୁ ବସ୍ତିବାସିନ୍ଦା, ପୋଟର୍ସ ୟୁନିୟନ, ବିଦ୍ୟୁତ୍ କର୍ମୀ ଓ ଉଠାଦୋକାନୀ ଯୋଗ ଦେଇଥିଲେ ।