ଭୁବନେଶ୍ୱର, ଯାହା କଲେ ବି ବିଜେପି ଅଭିଯୋଗ କରିବ । ବିଜେପି କେବେହେଲେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଏନାହିଁ । ଓଡ଼ିଶା ପ୍ରତି ଯେଉଁ ସମବେଦନା ତାଙ୍କର ରହିବା କଥା ତାହା ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିଲେ ବି ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛନ୍ତି । ଇନସେଂଟିଭ ଏବଂ ଆଡ଼ମିନଷ୍ଟ୍ରେଟିଭ ଖର୍ଚ୍ଚକୁ ହିସାବକୁ ନେଲେ ୫୦ ପ୍ରତିଶତରୁ ଅଧିକ ଟଙ୍କା ଆମର । ତେଣୁ ସେହି ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ଲୋଗୋ ରହିଲେ ଅସୁବିଧା କେଉଁଠି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରଫୁଲ ସାମଲ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇବାକୁ ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ।
ଆମେ ତାଙ୍କ ଯୋଜନାକୁ କେବେ ବି ହାଇଜାକ୍ କରୁନି, ବରଂ ସେମାନେ ଆମ ଯୋଜନାକୁ କପି କରନ୍ତି । ମମତା ଯୋଜନା ଏତେ ଲୋକପ୍ରିୟ ହେଲା କେନ୍ଦ୍ର ତାକୁ ନେଇଗଲେ । କେନ୍ଦ୍ର କେତେକ ଯୋଜନା କରୁଛି ଯାହା କି ରାଜ୍ୟବାସୀଙ୍କ ପାଇଁ ମଙ୍ଗଳମୟ ନୁହେଁ । ଓଡିଶାରେ ଦାରିଦ୍ୟ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କେନ୍ଦ୍ର ନିର୍ଦ୍ଧାରଣ କରିଥିବା ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ । ଯେଉଁଥିପାଇଁ ଓଡିଶା ସରକାର ଖାଦ୍ୟ ସୁରକ୍ଷା ଯୋଜନା କରି ୩୬ ଲକ୍ଷ ଲୋକଙ୍କ ଅନ୍ତର୍ଭୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଆବଂଟନରେ ସବୁବେଳେ ପଂଚାୟତ ସ୍ତରରେ ସ୍ୱଚ୍ଛତା ରଖାଯାଉଛି । ଯଦି କୌଣସି ଅଯୋଗ୍ୟ ଲୋକ ନେଉଛି ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । କିନ୍ତୁ ବିଜେପି ୟାକୁ ବାରମ୍ବାର କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ବିଜେଡି ସରକାର ସମସ୍ତ ଯୋଜନାରେ ସ୍ୱଚ୍ଛତା ବଜାୟ ରଖୁଛନ୍ତି । ବିଜେପି ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ।