ଧର୍ମଶାଳା,ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ସୁଭଦ୍ରପୁର ନିକଟସ୍ଥ ବାରୁଣାବନ୍ତ ପାହାଡ ଜଙ୍ଗଲ ପାଦଦେଶରୁ ଆଜି ଏକ ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଗଳିତ ଶବ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଏବ ସନ୍ଦେହଘେରରେ ରହିଛି । ତାଙ୍କୁ କେହି ଅନ୍ୟତ୍ର ମାରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବଡଚଣା ପୁଲିସ ପଂହଚି ତଦନ୍ତ ଜାରି ରଖିଛି । ଶବଟି ୨୦ ଦିନରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆଜି ସକାଳ ସମୟରେ ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ବାରୁଣାବନ୍ତ ପାହାଡରୁ ଦୁର୍ଗନ୍ଧ ଆସୁଥିବା ଅଂଚଳବାସୀ ଜାଣିବାକୁ ପାଇଥିଲେ । ବାରୁଣାବନ୍ତ ପାହାଡ ପାଦ ଦେଶରେ ଚତୃପାର୍ଶ୍ଵରେ ଜଙ୍ଗଲ ଥିବାରୁ କେହି ଜାଣି ପାରି ନ ଥିଲେ । ଏହି ପଚା ଗନ୍ଧକୁ ନେଇ ପୁଲିସରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଏହା ଏକ ମହିଳାଙ୍କ ଶବ ବୋଲି ଜଣାପଡିଥିଲା । ସେ ଦୁଇ ହାତରେ ଚୂଡି ପିନ୍ଧି ଥିବାର ଦେଖିବାକୁ ମିଳିଥିଲା । କେଉଁ ପରିସ୍ଥିତିରେ ମହିଳାଙ୍କ ଶବ ଏଠାକୁ ଆସିଲା, ନା କେହି ତାଙ୍କୁ ଅନ୍ୟତ୍ର ମାରି ଏଠାରେ ସୁରକ୍ଷିତ ଭାବେ ଫୋପାଡି ଦେଇ ଚାଲିଯାଇଛି ପୋଲିସ ସେନେଇ ତଦନ୍ତ କରୁଛି।