ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଆଦର୍ଶ ବିଦ୍ୟାଳୟରେ ଅଘଟଣ। ଗୁରୁବାର ରାତ୍ରିଭୋଜନ ଖାଇ ୧୧ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ବିଳମ୍ବିତ ରାତ୍ରରେ ଛାତ୍ରୀମାନଙ୍କୁ ଦିଗପହଣ୍ଡି ଡାକ୍ତର ଖାନାକୁ ନେଇ ସ୍କୁଲ କତ୍ତୃପକ୍ଷ ଓ ଅଭିଭାବକ ଚିକିତ୍ସା କରାଇଛନ୍ତି। ଶୁକ୍ରବାର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ ସ୍କୁଲକୁ ଯାଇ ଅନୁଧ୍ୟାନ କରିବା ସହ ଛାତ୍ରୀ ସାଙ୍ଗ ମାନଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ରାତ୍ରି ଭୋଜନ ପରେ ଛାତ୍ରୀ ମାନେ ଅସୁସ୍ଥ ହୋଇଥିବା ଜଣାପଡିଥିଲା। ଅସୁସ୍ଥ ଛାତ୍ରୀମାନେ ହେଲେ ଶୁଭଲଷ୍ମୀ ସେଠି, ଦୀପିକା ପ୍ରଧାନ, ଆଶାରାଣୀ ବିଷୋୟୀ, ମାମାଲି ସେଠି, ପୂଜା ସେଠି, ଲିଜା ବେହେରା, ତୁଳସୀ ଦଳେଇ, ଦୀପିକା ପ୍ରଧାନ, ମିକି ସେଠି, ଲିପସା ନାୟକ, ଦୀପ୍ତି ପ୍ରଧାନ। ବିଳମ୍ବିତ ରାତିରେ ଡାକ୍ତର ଖାନାରେ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ତ୍ୟ ଅବସ୍ଥାରେ ସୁଧାର ଦେଖାଦେଇଥିବାରୁ ତାଙ୍କୁ ହଷ୍ଟେଲ ଫେରାଇ ଅଣାଯାଇଥିଲା। ପରଦିନ ସକାଳୁ ଆଡ଼ପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ମନୋରଞ୍ଜନ ରଥ, ସୁନୀଲ ସେଠି, ରଶ୍ମିତା ମହାପାତ୍ର ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିଥିଲେ। ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ମଧ୍ୟ ସ୍କୁଲକୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ତଦନ୍ତ କରିଥିଲେ। ତେବେ ହଷ୍ଟେଲରେ ବାସୀ ଖାଦ୍ୟ ଦିଆ ଯାଉଥିବା କାରଣରୁ ପିଲାଙ୍କ ସ୍ୱାସ୍ଥ୍ୟ ଏଭଳି ହୋଇଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଥିଲେ। ସ୍କୁଲ ଅଧକ୍ଷ କହିବା ଅନୁସାରେ ପିଲାମାନଙ୍କୁ ଅଭିଭାବକ ମାନେ ଗୁରୁବାର ପୂଜାର ପିଠାପଣା ଖାଇ ଥିବାରୁ ଏଭଳି ଘଟଣା ଘଟିଥିଲା ବୋଲି କହିଥିଲେ। ଅଭିଭାବକ ମାନେ ଘଟଣାର ତଦନ୍ତ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ଦାବି କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।