ବଲାଙ୍ଗୀର,ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ବିଧିବଦ୍ଧ ଭାବେ ୯, ୧୧,୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିନ୍ଟନ ର୍ୟାଙ୍କିଂ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ପ୍ରତିଯୋଗିତାର ସାଙ୍ଗଠନିକ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାର ଆୟୋଜିତ ଏହି ଉଦଘାଟନି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ବହୁ ଶିଘ୍ର ବଲାଙ୍ଗିର ଏକ ସ୍ପୋର୍ଟସ ହବ୍ ରେ ପରିଣତ ହେବ । ଜିଲ୍ଲାରୁ ବିଭିନ୍ନ ଖେଳର ଅନେକ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରୁଛନ୍ତି । କିନ୍ତୁ, ଭିତ୍ତିଭୂମି ଅଭାବ ଦୃଷ୍ଟିରୁ ସେମାନେ ତାଙ୍କ ଖେଳ ସ୍ତରରେ ଉନ୍ନତି କରି ପାରୁ ନଥିଲେ, କିନ୍ତୁ ବର୍ତ୍ତମାନ ଆଉ ସେ ସ୍ଥିତି ନାହିଁ । ଏହି ଇନଡୋର ଷ୍ଟାଡିଅମ ଆଗାମୀ ଦିନରେ ଅନେକ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ଯୋଗଦେଇ ବଲାଙ୍ଗିରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ରାଜ୍ୟ ସଂଘ ଲଗାତାର ଦ୍ଵିତୀୟ ଥର ସୁଯୋଗ ଦେଇଥିବା ଏବଂ ଏହି ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ପାଇଁ ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ । ଆହୁରି ଆଗାମୀ ଦିନରେ ଜାତୀୟ ବ୍ୟାଡମିନ୍ଟନ ପ୍ରତିଯୋଗିତା ପାଇଁ ବଲାଙ୍ଗିର ପ୍ରସ୍ତୁତ ଅଛି । ସେଥିପାଇଁ ଆବଶ୍ୟକ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯଥାଶିଘ୍ର ପୁରଣ କରାଯିବ ବୋଲି କହିଥିଲେ । ସେହିପରି ଏସିଆର ସର୍ବବୃହତ ଅଣ୍ଡା ଉତ୍ପାଦନକାରୀ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳ ଓ ଖେଳାଳିଙ୍କ ଉନ୍ନତି ଦିଗରେ ସମସ୍ତ ପ୍ରୟାସ କରାଯିବ । ତାଛଡା ବଲାଙ୍ଗିରରେ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଆୟୋଜକଙ୍କୁ ସମସ୍ତ ସହେଯାଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ବଲାଙ୍ଗିର ଏସପି ନିତିନ କୁଶଲକର ବ୍ୟାଡମିନ୍ଟନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ବ୍ୟାଡମିନ୍ଟନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଘ ସଭାପତି ଗୋପାଳ ପଣ୍ଡା, ଜିଲ୍ଲା ସଂଘ କାଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନି ସେଠି, ସିଏସି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରେଫରି ଲଖ୍ୟପତି ନନ୍ଦ ଓ ଡେପୁଟି ରେଫରି ଜୟନ୍ତ ମିଶ୍ର ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କୁ ଜିଲ୍ଲା ସଂଘର କାଯ୍ୟକର୍ତ୍ତାମାନେ ଫୁଲତୋଡା ଦେଇ ସ୍ଵାଗତ କତିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିତା କାଟି ଖେଳ ଆରମ୍ଭ ଘୋଷଣା କରିଥିଲେ । ପ୍ରଥମ ଦିନରେ ମିନି ଓ ସବ ଜୁନିଅର ବର୍ଗର ସମୁଦାୟ ୮୫ଟି ମ୍ୟାଚ ହେବା ସୂଚନା ରହିଛି । ସହରର ଶହ ଶହ ଛାତ୍ରଛାତ୍ରୀ, ଖେଳ ପ୍ରେମୀ ପ୍ରତିଯୋଗିତାକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।