
ପୁରୀ,ବହିମେଳା ନବମଦିନରେ କୁଇଜ୍ ରେ ଲାଗିରହିଥିଲା ନାହିଁ ନଥିବା ଗହଳି। ସାତଦିନ ଧରି କୁଇଜ୍ ମାଷ୍ଟର ଚନ୍ଦ୍ରବିଜୟୀଙ୍କ ଚମତ୍କାର କୁଇଜ୍ ଛାତ୍ର ଛାତ୍ରୀ ଙ୍କୁ ଆକର୍ଷିତ କରିଥିଲା।ମେଳା ସରି ଆସୁଥିବାରୁ ବହି ଦୋକାନରୁ ପାଠକମାନେ କିଣୁଥିଲେ ଶରତଚନ୍ଦ୍ର ଙ୍କ ଦେବଦାସ୍,ପରୀଣିତା, ଗୋବିନ୍ଦ ଚନ୍ଦ୍ରଙ୍କ ଅମାବାସ୍ୟା ର ଚନ୍ଦ୍ର,ପ୍ରତିଭା ରାୟଙ୍କ ହାତଟାକୁ, ମଙ୍ଗୁଳି ବିଶ୍ଵାଳଙ୍କ ଭୁଖା, ବଙ୍କିମ ଚନ୍ଦ୍ରଙ୍କ ଆନନ୍ଦ ମଠ,ଗୋପୀ ମହାନ୍ତି ଙ୍କ ପରଜା ଓ ଦାନାପାଣି।ବିରଜା ମହାପାତ୍ରଙ୍କ ସାରିଆ ନାନୀ ଏପରିକି ଟିକା ଗୋବିନ୍ଦ ଚନ୍ଦ୍ର, ଲକ୍ଷ୍ମୀ ପୁରାଣ,ଗରୁଡ ପୁରାଣ ଭଳି ଧର୍ମପୁସ୍ତକ କିଣୁଥିଲେ ପାଠକ। ରାଜସ୍ଥାନ ଚୂର୍ଣ୍ଣ , ଆୟୁର୍ବେଦ ତୈଳ,ଗହମ ଘାସ, ଓ ଶଂଖା-ସିନ୍ଦୂର ରେ ଦେଖାଯାଇଥିଲା ଆଶାତୀତ ଭିଡ଼। ଶରଧାବାଲି ର ପବିତ୍ରତା ରକ୍ଷା କରି ଶୁଦ୍ଧ ମଥୁରାକେକ୍,ବିନା ପିଆଜ-ରସୁଣରେ ଢାକାଇ ପୁରୀ,ସାଧା ପକୋଡା ଓ ମିଠା ପାନ ଦୋକାନ ରେ ଲାଗି ଯାଇଥିଲା ପିଲାଙ୍କ ଗହଳି। ସଂଧ୍ୟାରେ ଗୁରୁ ଅଶୋକ ଦାସଙ୍କ ପରିଚାଳନା ରେ ନବପ୍ରତିଭା ଅନୁଷ୍ଠାନ ଲୋକନୃତ୍ୟ ପ୍ରଦର୍ଶନ କରିଥିବା ବେଳେ,ଭଏସ୍ ଅଫ୍ କମନମ୍ୟାନ୍ ଓ ନିର୍ମାଲ୍ୟ ର ମିଳିତ ସହଯୋଗରେ ଆଲୋଚନା ଚକ୍ର -ଚର୍ଚ୍ଚାରେ ଅ -ଆ ଅନୁଷ୍ଠିତ ହୋଇଥିଲା। ହେକ୍ଟର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁରୀ ର ବିକାଶ,ସୁରକ୍ଷା ଓ ସମସ୍ୟା ଉପରେ ଅନାମ ସାହୁ, ଚକ୍ରଧର ମହାପାତ୍ର, ବଦ୍ରି ମିଶ୍ର,ମନୋଜ ରଥ ,ରାଜକିଶୋର ମିଶ୍ର, ମଧୁସୂଦନ ମିଶ୍ର, ବିପିନ ଦଳାଇ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ପ୍ରସନ୍ନ ମିଶ୍ର, ଶ୍ୟାମପ୍ରକାଶ ସେନାପତି ବକ୍ତବ୍ୟ ଉପସ୍ଥାପନା କରିଥିଲେ।ପରେପରେ ମାଷ୍ଟର ବଣ୍ଟି ଚମତ୍କାର ମ୍ୟାଜିକ ପ୍ରଦର୍ଶନ କରିଥିଲେ। ଆସନ୍ତାକାଲି ବହିମେଳା ର ଉଦଯାପନ ହେବ। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ପରି ମିଶନ ଓଡ଼ିଶା ପକ୍ଷରୁ ଶିକ୍ଷା ଓ ସ୍ବାବଲମ୍ବନ ଉପରେ ଜନମଞ୍ଚ ଅନୁଷ୍ଠିତ ହେବ। ସଂଧ୍ୟାରେ ଉଦଯାପନ ଉତ୍ସବ ରେ ପୁରୀ ବିଧାୟକ, ଜିଲ୍ଲାପାଳ,ନିର୍ଦ୍ଦେଶକ ସଂସ୍କୃତି , ଆରକ୍ଷୀ ଅଧିକ୍ଷକ ପୁରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ, ସଂସ୍କୃତି ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିଥି ଭାବେ ଯୋଗଦେବେ ବୋଲି ସଂପାଦକ- ଚକ୍ରଧର ମହାପାତ୍ର ଓ ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି।