-
ଏମସ.ଏସ.ପିର ଦେଢ଼ଗୁଣା ପ୍ରତିଶ୍ରୁତି ଓ ବୋନସ୍ ଘୋଷଣା ବ୍ୟବସ୍ଥା ଗଲା କୁଆଡ଼େ?
-
ସବୁ ବଳକା ଧାନ କ୍ରୟ କରା ନ ଗଲେ ଚାଷୀ ଆନ୍ଦୋଳନକୁ ଦୁର୍ବାର କରାଯିବ – କଂଗ୍ରେସ
ଭୁବନେଶ୍ୱର, ସମଗ୍ର ରାଜ୍ୟରେ ଖରିଫ୍ ଧାନ ସଂଗ୍ରହରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନେକ ଜିଲ୍ଲାରେ ୧୫ଦିନରୁୁ ୧ ମାସ ବିଳମ୍ବରେ ମଣ୍ଡି ଖୋଲାଯିବା ଯୋଗୁଁ ଉତ୍ପାଦିତ ଧାନର ପ୍ରାୟ ୩୦ ପ୍ରତିଶତ ଧାନକୁ ଚାଷୀ ଅଣ୍ଡର ରେଟ୍ରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଏପରିକି ପଦ୍ମପୁର ଉପଖଣ୍ଡ ଲଉଡ଼ିଧରା ସେବା ସମବାୟ ସମିତି ଅନ୍ତର୍ଗତ କୁମିର ଧାନମଣ୍ଡିରେ ଧାନ ପକାଇଥିବା ୨୫ ଜଣ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ ଜିଲ୍ଲା ଗଞ୍ଜାମ ଜିଲ୍ଲାର ଖଲିକୋଟ, କବିସୂର୍ଯ୍ୟନଗର, ବେଗୁନିଆପଡ଼ାର ଚାଷୀଙ୍କର ହଜାର ହଜାର ବସ୍ତା ଧାନ ପଡ଼ି ରହିଛି । ଖାଲି କେବଳ ଏଠାରେ ନୁହେଁ, ଅନେକ ମଣ୍ଡିରେ ହଜାର ହଜାର ଟୋକନ୍ ଲାପ୍ସ ହେବାକୁ ଗଲାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହିତ ସଠିକ ସମନ୍ୱୟ ରକ୍ଷାକରାଯାଉ ନାହିଁ । ସରକାରଙ୍କ ଧାନକ୍ରୟ ନୀତିରେ ଆଦୌ ସ୍ୱଚ୍ଛତା ନାହିଁ ବୋଲି ଆଜି ପିସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଉଭୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଧାନ ଅମଳ ମୁତାବକ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଉ ନାହିଁ । ଚାଷୀ ତାର କଷ୍ଟଲବ୍ଧ ଅର୍ଥ ଭରଣା କରିବା କାଠିକର ପାଠ । ମିଲରମାନଙ୍କ ଅବୈନତିକ କାରବାର, କଟନି ଛଟନି, ଚାଷୀ ଶୋଷଣ ପ୍ରକ୍ରିୟା ପ୍ରତି ବିଭାଗୀୟ କର୍ତ୍ତୁପକ୍ଷ ଆଖି ବୁଜିଦେଇଛନ୍ତି । ଫଳରେ ଚାଷୀଙ୍କ ଦୁର୍ଦଶା କ୍ରମାଗତ ଭାବେ ବଢ଼ି ଚାଲିଛି । ଚାଷୀ ଧାନର ସର୍ବନିମ୍ନ ମୂଲ୍ୟ ପାଉନାହିଁ । ସବୁ ମଣ୍ଡିରେ ପ୍ରାୟ ୩ ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟନି ଛଟନି କରାଯାଉଛି । ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ହଜାର ହଜାର କ୍ୱିଣ୍ଟାଲ ଧାନ ଧରି ମୁଣ୍ଡରେ ହାତ ଦେଇ ବସିଛି । ମିଲର ଓ ସରକାରଙ୍କ ମଧୂଚନ୍ଦ୍ରିକାରେ ଧାନ ସଂଗ୍ରହ କରାଯାଉଛି । ଧାନ ଦେବାର ୨୪ ଘଣ୍ଟା ମଧ୍ୟରେ ଚାଷୀ ପ୍ରାପ୍ୟ ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀ ଧାନ ଦେଇ ୭ ରୁ ୧୦ ଦିନ ବିତି ଯାଉଥିବା ପରେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ପରିବହନ ଖର୍ଚ୍ଚ ଦେବା ପରିବର୍ତ୍ତେ ଅନେକ ସ୍ଥାନରେ ଚାଷୀଙ୍କୁ ପରିବହନ ଖର୍ଚ୍ଚ ଦେବାକୁ ପଡ଼ୁଛି । ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରକାର ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଚ୍ଛା ୨୮ଶହ ଟଙ୍କା ଦେଇ ଧାନ କିଣୁଥିବା ବେଳେ ଓଡ଼ିଶାର ଚାଷୀଙ୍କୁ ୧୨ଶହ ରୁ ୧୩ ଟଙ୍କାରେ ଧାନ ବିକ୍ରି କରିବାକୁ ପଡ଼ୁଛି । ମୁଖ୍ୟମନ୍ତ୍ରୀ ୨୦୧୬ରେ ସୋହେଲା ଚାଷୀ ସମାବେଶରେ ଚାଷୀଙ୍କୁ ୧୦୦ ଟଙ୍କା ଅତିରିକ୍ତ ସହାୟତା ଦେବାକୁ ଦେଇଥିବା ପ୍ରତିଶ୍ରୁତରେ ପ୍ରତାରଣା କରିଛନ୍ତି । ଖୋର୍ଦ୍ଦା ଓ ସୁନ୍ଦରଗଡ଼ ଜିଲ୍ଲାରେ ହକି ଆୟୋଜନ ହେଉଥିବା ଯୋଗୁଁ ଚାଷୀଙ୍କ ସମସ୍ୟା ଶୁଣିବାକୁ ପ୍ରଶାସନ ଆଖି ବୁଜି ଦେଇଛି । ଅପର ପକ୍ଷରେ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାର ୨୦୧୪ଠାରୁ ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଏମଏସପିର ଦୁଇଗୁଣା ବୃଦ୍ଧି ପାଇଁ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ଗଲା କୁଆଡ଼େ? ଏମଏସପିର ଆଇନଗତ ଗ୍ୟାରେଣ୍ଟି କରାଗଲା ନାହିଁ । ଉଭୟ ସରକାରଙ୍କ ଏପରି ଚାଷୀମାରଣ ନୀତିକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓ ପିସିସି କିଷାନ କଂଗ୍ରେସର ସମସ୍ତ ଜିଲ୍ଲା ଅଧ୍ୟକ୍ଷ ଓ କର୍ମକର୍ତ୍ତାବୃନ୍ଦ କଂଗ୍ରେସ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । ଚାଷୀ କାହା ଦୟାର ପାତ୍ର ନୁହେଁ । ତେଣୁ ଚାଷୀର ହକ୍ ପାଇଁ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ ନିର୍ଦ୍ଧାରିତ ଏମଏସପିରେ ଠିକଣା ସମୟରେ କ୍ରୟ କରିବା, ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲିବା, ଟୋକନ ବ୍ୟବସ୍ଥାକୁ ସରଳୀକରଣ, ଚାଷୀଙ୍କୁ ବସ୍ତା ବା ଅଖା ଖର୍ଚ୍ଚ ପ୍ରଦାନ କରିବା, ପ୍ରତି ମଣ୍ଡିରେ କଟନି ଛଟନି ବନ୍ଦ, ପଡ଼ୋଶୀ ଛତିଶଗଡ଼ ସରକାରଙ୍କ ଭଳି ରାଜ୍ୟ ସରକାର ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନରେ ୯୦୦ଟଙ୍କା ଅତିରିକ୍ତ ସହାୟତା ବା ବୋନସ୍ ଦେବା, ମିଲରମାନଙ୍କ ଅସାଧୁ କାର୍ଯ୍ୟ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ, ଟାର୍ଗେଟ ଅନୁଯାୟୀ ମଣ୍ଡିରୁ ଧାନ ସଂଗ୍ରହ ଓ ଉଠାଣ କରିବା, କେନ୍ଦ୍ର ସରକାର ଅବିଳମ୍ବେ ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଏମଏସପିର ଦେଢ଼ଗୁଣା ବୃଦ୍ଧି କରିବା ସହ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାରେ କ୍ରୟ ଓ ଏମଏସପିରେ ତୁରନ୍ତ ଆଇନଗତ ଗ୍ୟାରେଣ୍ଟି ବ୍ୟବସ୍ଥା କରିବାକୁ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି । ଯଦି ସରକାର ଏପରି ଚାଷୀ ମାରଣ ନୀତିରୁ ନିବୃତ୍ତ ନ ରୁହନ୍ତି, ତେବେ ଆଗାମୀ ଦିନରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କିଷାନ କଂଗ୍ରେସ ପକ୍ଷରୁ ଚାଷୀ ଆନ୍ଦୋଳନକୁ ପ୍ରତି ମଣ୍ଡିସ୍ତରରୁ ଦୁର୍ବାର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା ଦାଶରଥି ସାହୁ, ରବିନ୍ଦ୍ର କୁମାର ପାଲ, ତୁଷାରକାନ୍ତ ନାୟକ ଉପସ୍ଥିତ ଥିଲେ ।