ମାଲକାନଗିରି, ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ବନ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଥାଏ । ସେହିପରି ଚଳିତ ବର୍ଷ ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଯାଇଛି । ଚଳିତ ଜାନୁଆରୀ ମାସରେ ୯ ଗୋଟି ସ୍ଥାନରେ ୧୦ ଗୋଟି ବନ କର୍ମଚାରୀ ଦଳକୁ ନେଇ ପକ୍ଷୀ ଗଣନା କାର୍ଯ ସଂପନ୍ନ ହୋଇଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବନଖଣ୍ଡରେ ମୋଟ ୧୪,୨୩୦ ପକ୍ଷୀ ଗଣନା କରାଯାଇଥିଲା ବେଳେ ୪୪ ପ୍ରଜାତିର ପକ୍ଷୀ ଦେଖି ବାକୁ ମିଳିଛି । ସେଥିମଧ୍ୟରୁ ୩୨ ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଚିହ୍ନଟ ଯାଇଛି । ମାଲକାନଗିରି ବନାଞ୍ଚଳର ସତୀଗୁଡା ବନ୍ଧ, ମାଥିଲି ବନାଞ୍ଚଳର ଶିବସାଗର ଏବଂ ବାଲିମେଳା ମାଟି ବନ୍ଧରେ ସର୍ବାଧିକ ବିଦେଶାଗତ ପକ୍ଷୀ ଦୃଷ୍ଟିଗୋଚର ହୋଇଯାଇଛି । ଏମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିଛି ।
ପକ୍ଷୀ ଗଣନା ପାଇଁ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀମାନଙ୍କୁ ବନପ୍ରାଣୀ ବିଶେଷଜ୍ଞ ଡଃ. ନିମାଇଁ ଚରଣ ପଲାଇ ଏବଂ ଶ୍ରୀଭକ୍ତ ପଦାରବିନ୍ଦ ତାମିଲ ପ୍ରଦାନ କରିଥିଲେ । ପକ୍ଷୀ ଗଣନାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଚ୍ଛାପଲ୍ଲୀ ଏବଂ ସହକାରୀ ବନ ସଂରକ୍ଷକ କନ୍ଦନ ସିଂ ପରାମର୍ଶ ପ୍ରଦାନ କରିଥିଲେ । ଏହି ଗଣନାରେ ମାଲକାନଗିରି ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ ଅଧିକାରୀ, ବନାପାଳ ବନରକ୍ଷୀମାନେ ସୁଚାର ରୂପେ ଦାୟିତ୍ଵ ନିର୍ବାହ କରିଥିଲେ ।
ପ୍ରକାଶ ଥାଉକି, ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ମାଲକାନଗିରି ବନଖଣ୍ଡରେ ୧୦ , ୧୦୪ ପକ୍ଷୀ ଗଣନା କରାଯାଇଥିଲା । ଏବଂ ୪୩ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା।