କନ୍ଧମାଳ,ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ଆୟୋଜିତ ହେଉଥିବା ହକିର ମହାକୁମ୍ଭ ପୁରୁଷ ହକି ବିଶ୍ଵକପ ଗତକାଲି ଐତିହାସିକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି। ସାରା ବିଶ୍ଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ଆଜି ଖେଳ ଆୟୋଜନରେ ବେଶ ପ୍ରଶଂସିତ ହୋଇପାରିଛି। ବିଶ୍ଵକପ ହକିକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଓଡିଶା ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗତକାଲି ଅପରାହ୍ନ ୧ଟା ଠାରୁ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଥିଲା। ଫୁଲବାଣୀର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏହି ଉଦଘାଟନୀ ସମାରୋହକୁ ଜନସାଧାରଣଙ୍କୁ ଦେଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ। ପରିସର ମଧ୍ୟରେ ଥିବା ଖେଳ ପଡିଆରେ ଏକ ବିରାଟ ପରଦା ଲଗାଯାଇ ଉତ୍ସବର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଅନୁଷ୍ଠାନର ଅନ୍ୟୁନ ଆଠ ଶହ ଚବିଶି ଜଣ ଛାତ୍ର ଛାତ୍ରୀଙ୍କ ସହ ସମସ୍ତ କର୍ମଚାରୀ ଏବଂ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ଉତ୍ସବକୁ ଲାଇଭ ଦେଖିଥିଲେ।
ଅଧ୍ୟକ୍ଷ ଇଂ. ପ୍ରକାଶ ଚନ୍ଦ୍ର ସେଠିଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାରେ ତାଲିମପ୍ରାପ୍ତ ଅଧିକାରୀ ଡ଼ଃ. ନୃସିଂହାନନ୍ଦ ମହାପାତ୍ର, ରଶ୍ମି ରଞ୍ଜନ ବିଶ୍ଵାଳ, ଛାତ୍ରବାସ ଅଧିକ୍ଷକ ଗୌରବ ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର, ମୁଖ୍ୟ କିରାଣୀ ସ୍ମରଣିକା ମାଡାମ, ବରିଷ୍ଠ କିରାଣୀ ଦେବାଶିଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପ୍ରତି ଖେଳର ଲାଇଭ ଏଠାରେ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।